ପାକିସ୍ତାନରେ ବି ଶିଳ୍ପ ବନ୍ଦ କରିବାକୁ ଚାହୁଁଛ ନା କ'ଣ? ପ୍ରଦୂଷଣ ନେଇ ଯୋଗୀ ସରକାରଙ୍କ ଯୁକ୍ତିରେ ଚିଡ଼ି ଉଠିଲେ ପ୍ରଧାନ ବିଚାରପତି | News Room Odisha

ପାକିସ୍ତାନରେ ବି ଶିଳ୍ପ ବନ୍ଦ କରିବାକୁ ଚାହୁଁଛ ନା କ’ଣ? ପ୍ରଦୂଷଣ ନେଇ ଯୋଗୀ ସରକାରଙ୍କ ଯୁକ୍ତିରେ ଚିଡ଼ି ଉଠିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଆଜି ଶୁଣାଣି ବେଳେ ପ୍ରଦୂଷଣ ପାଇଁ ଉତ୍ତର ପ୍ରଦେଶ ସରକାର ପାକିସ୍ତାନକୁ ଦାୟୀ କରିଛନ୍ତି । ଯୋଗୀ ଆଦିତ୍ୟନାଥ ସରକାର ଶୁକ୍ରବାର କୋର୍ଟରେ କହିଛନ୍ତି ଯେ ପାକିସ୍ତାନ ପଟୁ ଆସୁଥିବା ଦୂଷିତ ବାୟୁ ଯୋଗୁଁ ରାଜ୍ୟରେ ପ୍ରଦୂଷଣ ବଢ଼ୁଛି । ଉତ୍ତର ପ୍ରଦେଶ ସରକାରଙ୍କ ଏଭଳି ଯୁକ୍ତି ନେଇ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ ।

ସୁପ୍ରିମକୋର୍ଟରେ ଯୋଗୀ ସରକାର ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ରଞ୍ଜିତ କୁମାର କହିଥିଲେ ଯେ ରାଜ୍ୟର ଅଧିକାଂଶ ଦୂଷିତ ବାୟୁ ପାକିସ୍ତାନରୁ ଆସୁଛି। ଏହି ଯୁକ୍ତି ଉପରେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ବିରକ୍ତି ପ୍ରକାଶ କରି ପଚାରିଥିଲେ, ଆପଣ ପାକିସ୍ତାନରେ ବି ଶିଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ନା କ’ଣ !

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ କାରଣରୁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ପ୍ରଦୂଷଣ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଏହାର ମୁକାବିଲା ପାଇଁ ପାଞ୍ଚ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ନେଇ ଦିଲ୍ଲୀର ୧୭ ବର୍ଷୀୟ ଛାତ୍ର ଆଦିତ୍ୟ ଦୁବେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।