ଲଖିମପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ, ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ | News Room Odisha

ଲଖିମପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ, ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଜାମିନକୁ ରଦ୍ଦ କରି କେନ୍ଦ୍ର ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି। ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କରିବାକୁ ମୃତ ଚାଷୀଙ୍କ ପରିବାରଙ୍କ ଆବେଦନ ଉପରେ କୋର୍ଟ ଏପ୍ରିଲ ୪ ରେ ରାୟ ସଂରକ୍ଷିତ ରଖିଥିଲେ।

ଆଜି ଆଶିଷ ମିଶ୍ରଙ୍କ ଜାମିନ ଉପରେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ପୀଡ଼ିତ ପକ୍ଷର ଶୁଣାଣି ହାଇକୋର୍ଟରେ ଠିକ୍ ଭାବରେ କରାଯାଇ ନଥିଲା ଏବଂ ଆଶିଷ ଙ୍କୁ କୋର୍ଟ ତରବରିଆ ଭାବେ ଜାମିନ ପ୍ରଦାନ କରାଯାଇଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ଏହି ମାମଲାର ପୁଣି ଶୁଣାଣି କରିବାକୁ କହିଛନ୍ତି। ଆଶିଷ ମିଶ୍ରଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର ୩, ୨୦୨୧ ରେ ଲଖିମପୁର ଖେରୀର ବିକ୍ଷୋଭ ପ୍ରଦର୍ଶନ କଲାବେଳେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଦିଆଯାଇଥିଲା । ଏହି ଘଟଣାରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟିଥିବା ହିଂସାରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ଉକ୍ତ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଥିଲା।