ଗୁଜରାଟ ଦଙ୍ଗା ଓ ବାବ୍ରି ମସଜିଦ୍ ସହ ଜଡ଼ିତ ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ | News Room Odisha

ଗୁଜରାଟ ଦଙ୍ଗା ଓ ବାବ୍ରି ମସଜିଦ୍ ସହ ଜଡ଼ିତ ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ବଡ଼ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ସବୁ ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସମୟ ଗଡିବା ସହ ଏହି ସବୁ ମାମଲାର ଆଉ କୌଣସି ପ୍ରାସଙ୍ଗିକତା ନାହିଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଗୁଜରାଟ ଦଙ୍ଗା ୯ଟି ମାମଲା ମଧ୍ୟରୁ ୮ଟି ମାମଲାରେ ଫଇସଲା ହୋଇସାରିଛି । ନାରୋଦା ଗ୍ରାମ ଦଙ୍ଗା ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ଅଛି। ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହିତ ସୁପ୍ରିମକୋର୍ଟ ଗୁଜରାଟ ଦଙ୍ଗା ନେଇ ସାମାଜିକ କର୍ମୀ ତିସ୍ତା ସୀତଲଓ୍ବାଡଙ୍କ ଆବେଦନ ଉପରେ ମଧ୍ୟ ଶୁଣାଣି ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ତିସ୍ତାଙ୍କୁ ଗିରଫ କରାଯାଇଛି। ତେଣୁ ଏହି ପିଟିସନ ପ୍ରଭାବହୀନ ହୋଇଯାଇଛି | ତିସ୍ତାଙ୍କ ଓକିଲଙ୍କୁ କୋର୍ଟ କହିଛନ୍ତି ଯେ ଅଦାଲତରୁ ନିର୍ଦ୍ଦେଶ ନେଇ ସେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ।

ଏହାଛଡ଼ା ସୁପ୍ରିମକୋର୍ଟ ବାବ୍ରି ମସଜିଦ ଭଙ୍ଗା ମାମଲାରେ ବିଜେପିର ଉମା ଭାରତୀ, ଏମଏମ ଯୋଶୀ, ସାଧ୍ବୀ ଋତୁମ୍ବରା, ବିନୟ କଟିୟାରଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି। ଅବମାନନା ମାମଲାରେ ଆବେଦନକାରୀଙ୍କ ମୃତ୍ୟୁ ହୋଇସାରିଛି । ଅଯୋଧ୍ୟା ରାୟ ଆସିବା ପରେ ଏହି ମାମଲାରେ ଆଉ କିଛି ଶୁଣାଣି କରିବାକୁ ବାକି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।