ହେଟ୍ ସ୍ପିଚ୍ ମାମଲାରେ ଦିଲ୍ଲୀ ପୋଲିସ ଦ୍ବାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ | News Room Odisha

ହେଟ୍ ସ୍ପିଚ୍ ମାମଲାରେ ଦିଲ୍ଲୀ ପୋଲିସ ଦ୍ବାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ସମ୍ବନ୍ଧୀୟ ଏକ ମାମଲାରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ସତ୍ୟପାଠରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦିଲ୍ଲୀର ‘ହିନ୍ଦୁ ଯୁବ ବାହିନୀ’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ହେଟ୍ ସ୍ପିଚ୍ ଦିଆଯାଇ ନ ଥିଲା ବୋଲି ଦିଲ୍ଲୀ ପୋଲିସର ଡିପିସି ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଥିଲେ। ତେବେ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି ଦିଲ୍ଲୀ ପୋଲିସକୁ ଏକ ସାନି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଆପଣ ଏହା ବୁ ବୁଝି ପାରୁଥିବେ | ଆପଣ ନିଜ ସତ୍ୟପାଠରେ ଯାଞ୍ଚ୍ ଅଧିକାରୀଙ୍କ ଅନୁସନ୍ଧାନ ରିପୋର୍ଟକୁ ପୁନଃ ପ୍ରକାଶିତ କରିଛନ୍ତି ନା ନିଜ ବିବେକ ଖଟାଇଛନ୍ତି ? ଆପଣଙ୍କ ଏହି ମାମଲାରେ ଆଭିମୁଖ୍ୟ ସବ୍-ଇନ୍ସପେକ୍ଟର ସ୍ତରର ଅଧିକାରୀଙ୍କ ସହ ସମାନ । ପୋଲିସ ଏହାର ଆଭିମୁଖ୍ୟ ସ୍ପଷ୍ଟ କରି ଦୁଇ ସପ୍ତାହ ମଧ୍ୟରେ ସାନି ସତ୍ୟପାଠ ଦାଖଲ କରିବାକୁ ହେବ |

ଏହି ମାମଲାରେ ସାମ୍ବାଦିକ କୁର୍ବାନ ଅଲି ଏବଂ ପାଟନା ହାଇକୋର୍ଟର ପୂର୍ବତନ ଜଷ୍ଟିସ ଅଞ୍ଜନା ପ୍ରକାଶ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ଏବଂ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହେଟ୍ ସ୍ପିଚ୍ ମାମଲାରେ ଏସଆଇଟି ତଦନ୍ତ ଦାବି କରାଯାଇଥିଲା। ଏହି ଆବେଦନରେ କୁହାଯାଇଥିଲା ଯେ ହରିଦ୍ୱାର ଧର୍ମ ସଂସଦ ଏବଂ ଦିଲ୍ଲୀର ହିନ୍ଦୁ ଯୁବା ବାହିନୀ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଘୃଣା ଉଦ୍ରେକକାରୀ ଭାଷଣ ଦିଆଯାଇଥିଲା। ଜାନୁଆରୀ ୧୨ ରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଦିଲ୍ଲୀ ଓ ହରିଦ୍ଵାର ପୋଲିସକୁ ନୋଟିସ୍ ଜାରି କରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ ୯ରେ ହେବ ।