ମାଡ୍ରାସ ହାଇକୋର୍ଟ ଜଜ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ମାଡ୍ରାସ ହାଇକୋର୍ଟ ଜଜ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟରେ ଜଜ୍ ଭାବରେ ଏଲ୍ ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତାଙ୍କ ନିଯୁକ୍ତି ବିରୋଧରେ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ଗୌରୀ ପୂର୍ବରୁ ବିଜେପି ସହ ଜଡ଼ିତ ଥିବାରୁ ତାଙ୍କ ନିଯୁକ୍ତି ବାତିଲ କରିବାକୁ ମାଡ୍ରାସ ହାଇକୋର୍ଟର କିଛି ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଭିକ୍ଟୋରିଆଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଯୁକ୍ତି କରାଯାଇଥିଲା ଯେ ତାଙ୍କର ବିଜେପି ଦଳ ସହ ସମ୍ପର୍କ ରହିଛି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଜଣା ପଡିଛି ଯେ ସେ ବିଜେପିର ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଗୌରୀ ନାମ ପଛରେ ଚୌକିଦାର ଶବ୍ଦ ମଧ୍ୟ ଯୋଡିଥିଲେ। ଏହାଛଡ଼ା ସେ ଅନେକ ସମୟରେ ପ୍ରେମ ଜିହାଦ ତଥା ଏକ ନିର୍ଦ୍ଦିଷ୍ଟ ଲଘୁ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇଥିଲେ। ଏଭଳି ଅନେକ ତଥ୍ୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ କଲେଜିୟମରୁ ସେ ଲୁଚାଇଥିଲେ ବୋଲି ମାଡ୍ରାସ ହାଇକୋର୍ଟ ଓକିଲମାନେ ଅଭିଯୋଗ କରିଥିଲେ ।