ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ | News Room Odisha

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ସମାନତା ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ଉଭୟ ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଧାର୍ଯ୍ୟ କରିବାକୁ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଆବେଦନ କରିଥିଲେ । ଏହାକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲା ଆଇନରେ ସଂଶୋଧନ ସହ ଜଡ଼ିତ । ଏନେଇ ସଂସଦକୁ ଆମେ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ଯଦି ସୁପ୍ରିମକୋର୍ଟ ବିବାହ ପାଇଁ ସର୍ବନିମ୍ନ ୧୮ ବର୍ଷ ନିୟମ ରଦ୍ଦ କରନ୍ତି, ତେବେ ବିବାହ ପାଇଁ କୌଣସି ସର୍ବନିମ୍ନ ବୟସ ରହିବ ନାହିଁ | ଏହି ମାମଲାରେ ଆବେଦନକାରୀ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି ଯେ ଏହା ଏକ ରାଜନୈତିକ ଫୋରମ୍ ନୁହେଁ। ସମ୍ବିଧାନର ରକ୍ଷକ ଭାବରେ ଆମେ କଣ କରିବା ଉଚିତ ତାହା ଆମକୁ ଶିଖାଅ ନାହିଁ ।

ଉଲ୍ଲେଖଯୋଗ୍ୟ, ଭାରତରେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଓ ପୁଅମାନଙ୍କ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି ।

ପୁଅ ଓ ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସରେ ସମାନତା ପାଇଁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ପରେ ହାଇକୋର୍ଟ ଏହି ଆବେଦନକୁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ଜାନୁଆରୀ ୧୩ରେ ସୁପ୍ରିମକୋର୍ଟ ଏହି ଆବେଦନକୁ ନିଜ ବିଚାରକୁ ଆଣିଥିଲେ। ଏହି ଆବେଦନରେ ଯୁକ୍ତି କରାଯାଇଥିଲା ଯେ ଦେଶରେ ପୁଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅମାନଙ୍କ ସର୍ବନିମ୍ନ ୧୮ ବର୍ଷ ବୟସ ସୀମା ଭେଦଭାବପୂର୍ଣ୍ଣ | ଏହି ମାମଲା ସମ୍ବିଧାନର ଧାରା ୧୪ ଅନୁଯାୟୀ ସମାନତା ଅଧିକାର ସହ ଜଡିତ ବୋଲି ଆବେଦନକାରୀ ଯୁକ୍ତି କରିଥିଲେ।