ସାମ୍ବାଦିକଙ୍କ ଡିଜିଟାଲ୍ ଉପକରଣ ମନଇଚ୍ଛା ଜବତ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଗାଇଡଲାଇନ୍ ଆଣିବାକୁ କେନ୍ଦ୍ରକୁ କହିଲେ | News Room Odisha

ସାମ୍ବାଦିକଙ୍କ ଡିଜିଟାଲ୍ ଉପକରଣ ମନଇଚ୍ଛା ଜବତ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଗାଇଡଲାଇନ୍ ଆଣିବାକୁ କେନ୍ଦ୍ରକୁ କହିଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂସ୍ଥାଙ୍କ ଦ୍ବାରା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ଡିଜିଟାଲ୍ ଉପକରଣ ଗୁଡ଼ିକୁ ମନଇଚ୍ଛା ଜବତ କରାଯିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଏକ ଗମ୍ଭୀର ବିଷୟ ବୋଲି କହିଛନ୍ତି। ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉପଯୁକ୍ତ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି କେନ୍ଦ୍ରୀୟ ଏଜେନ୍ସି କ୍ଷମତାର ଅପବ୍ୟବହାର ଠିକ୍ ନୁହେଁ।

ଜଷ୍ଟିସ ସଞ୍ଜୟ କିଶାନ କୌଲ୍ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ମିଡିଆ ପ୍ରଫେସନାଲ୍ ଫାଉଣ୍ଡେସନ୍ ନାମକ ସଂସ୍ଥା ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ମତବ୍ୟକ୍ତ କରିଥିଲେ । ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଅଯଥା ହସ୍ତକ୍ଷେପରୁ ସୁରକ୍ଷା ଦେବା ଏବଂ ଡିଜିଟାଲ୍ ଉପକରଣଗୁଡ଼ିକର ଯାଞ୍ଚ୍ ଏବଂ ଜବତ ପାଇଁ ଗାଇଡଲାଇନ୍ ଆଣିବାକୁ ପିଟିସନରେ ଅନୁରୋଧ କରାଯାଇଥିଲା ।

ଖଣ୍ଡପୀଠ କହିଥିଲେ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଅଖଣ୍ଡ କ୍ଷମତାକୁ ଗ୍ରହଣ କରିବା କଷ୍ଟକର । ତଦନ୍ତ ଓ ସାମଗ୍ରୀ ଜବତ ସମ୍ପର୍କରେ ଗାଇଡ୍ ଲାଇନ୍ ରହିବା ଉଚିତ୍ | ଯଦି ଆପଣ (କେନ୍ଦ୍ର) ଚାହୁଁଛନ୍ତି ଯେ ଆମେ ଏହା କରିବୁ ତେବେ ଆମେ ପ୍ରସ୍ତୁତ । କିନ୍ତୁ ଆପଣ ନିଜେ ଏହା କରିବା ଉଚିତ୍ | କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ନିଜ କ୍ଷମତାର ଅପବ୍ୟବହାର ନ କରନ୍ତୁ ।

ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଖଣ୍ଡପୀଠକୁ କହିଥିଲେ ଏହି ପ୍ରସଙ୍ଗରେ ଅନେକ ଜଟିଳ ଆଇନଗତ ସମସ୍ୟା ରହିଛି ଯାହାର ଯାଞ୍ଚ ଆବଶ୍ୟକ । ତେଣୁ ସେ ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।