ଜାହାଙ୍ଗୀରପୁରୀରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି | News Room Odisha

ଜାହାଙ୍ଗୀରପୁରୀରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ହିଂସାଗ୍ରସ୍ତ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ସେପର୍ଯ୍ୟନ୍ତ ଜାହାଙ୍ଗୀରପୁରୀରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍ ପରବର୍ତ୍ତୀ ଆଦେଶ ଯାଏଁ ସେହି ଅଞ୍ଚଳରେ ବେଆଇନ ନିର୍ମାଣ ହଟାଇବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଜମିଆତ୍-ଉଲେମା-ଏ-ହିନ୍ଦ୍ ନାମକ ଏକ ସଂଗଠନର ପିଟିସନ ଉପରେ ଏନଡିଏମସି ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି ।

ବିଜେପି ଶାସିତ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏନଡିଏମସି) ପକ୍ଷରୁ ବୁଧବାର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ନାମରେ ଅନେକ ଘର ଭାଙ୍ଗି ଦିଆଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ ବନ୍ଦ କରାଯାଇଥିଲା।

ଆଜି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବିଆର ଗଭାଇ ଏହି ମାମଲାର ଶୁଣାଣି କରିଥିଲେ। ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ ଶୁଣାଣି ସମୟରେ କହିଥିଲେ ଯେ ଏହି ମାମଲା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ସେ କହିଛନ୍ତି ଯେ ଏହି ମାମଲା କେବଳ ଜାହାଙ୍ଗୀରପୁରୀରେ ସୀମିତ ନୁହେଁ। ଯଦି ଏହାକୁ ଅନୁମତି ଦିଆଯାଏ, ତେବେ ଦେଶରେ ଆଇନ କାନୁନ ବୋଲି କିଛି ରହିବ ନାହିଁ | ବରିଷ୍ଠ ଓକିଲ ଡାଭେ କହିଛନ୍ତି ଯେ ପୋଲିସ୍ ଏବଂ ଅନ୍ୟ ଅଧିକାରୀମାନେ ସମ୍ବିଧାନ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ବିଜେପି ନେତାଙ୍କ ଆଦେଶ ପ୍ରତି ନୁହେଁ । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ଜବରଦଖଲ ଏକ ଗୁରୁତର ମାମଲା । କିନ୍ତୁ ସମସ୍ୟା ହେଉଛି ଯେ ଜବରଦଖଲ ଉଚ୍ଛେଦ ନାଁରେ କେବଳ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଘର ଭଙ୍ଗା ଯାଉଛି। ସେ କହିଛନ୍ତି ଯେ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସୁଛି।

ପ୍ରକାଶଯୋଗ୍ୟ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ଟେକାମାଡ଼ ନେଇ ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସା ଘଟିଥିଲା। ଉକ୍ତ ହିଂସାରେ ୯ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଗିରଫ କରାଯାଇଛି।