ଏଡିଟର୍ସ ଗିଲ୍ଡର ଚାରି ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ | News Room Odisha

ଏଡିଟର୍ସ ଗିଲ୍ଡର ଚାରି ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁରରେ ରୁଜୁ ହୋଇଥିବା ମାମଲାରେ ‘ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ର ଚାରିଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୋମବାର ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଏଡିଟର୍ସ ଗିଲ୍ଡର ଆବେଦନ ଉପରେ ଶୁଣାଣି କରି ମଣିପୁର ସରକାରଙ୍କୁ ଜବାବ ମାଗିଛନ୍ତି ‌। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧ରେ କରିବେ ।

ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ହିଁ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ସେପ୍ଟେମ୍ବର ୪ରେ କହିଥିଲେ ଯେ, ରାଜ୍ୟରେ ସ୍ଥିତି ବିଗାଡ଼ିବା ଉଦ୍ୟମ ଓ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଅଭିଯୋଗରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସଭାପତି ଏବଂ ତିନି ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ପରେ ଏଡିଟର୍ସ ଗିଲ୍ଡର ଚାରିଜଣ ସଦସ୍ୟଙ୍କ ବିରୋଧରେ ମାନହାନି ମାମଲା ମଧ୍ୟ ଦାୟର ହୋଇଥିଲା ।

ଶନିବାର ଏକ ରିପୋର୍ଟରେ ଏଡିଟର୍ସ ଗିଲ୍ଡ ମଣିପୁରରେ ଇଣ୍ଟରନେଟ୍ କଟକଣାକୁ ମିଡ଼ିଆ ରିପୋର୍ଟିଂ ପାଇଁ କ୍ଷତିକାରକ ବୋଲି କହିଥିଲା ଏବଂ ମଣିପୁର ହିଂସା ନେଇ ମିଡିଆ କଭରେଜକୁ ସମାଲୋଚନା କରିଥିଲା । ଏହାଛଡ଼ା ସେ ରାଜ୍ୟ ନେତୃତ୍ୱଙ୍କୁ ପକ୍ଷପାତିତା ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଥିଲା ଏଡିଟର୍ସ ଗିଲ୍ଡ ।

ଯେଉଁମାନଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି ସେମାନଙ୍କ ମଧ୍ୟରେ ଏଡିଟର୍ସ ଗିଲ୍ଡ ଅଧ୍ୟକ୍ଷ ସୀମା ମୁସ୍ତାଫା ଏବଂ ତିନିଜଣ ସଦସ୍ୟ – ସୀମା ଗୁହା, ଭାରତ ଭୂଷଣ ଏବଂ ସଞ୍ଜୟ କପୁର ଅଛନ୍ତି।