ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ | News Room Odisha

ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି। ୧୦ ଦିନ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ ।

୨୦୨୧ ନଭେମ୍ବର ୧୫ ରେ ଏହି ନିୟମକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛି ।

କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମୋହୁଆ ମଇତ୍ର ଏବଂ ସାକେତ ଗୋଖଲେଙ୍କ ପକ୍ଷରୁ ଦାୟର ପିଟିସନରେ ଅଭିଯୋଗ ହୋଇଥିଲା ଯେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ତଥା ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିୟମରେ ସଂଶୋଧନ କରାଯାଇଛି। । ମିଶ୍ରଙ୍କୁ ପ୍ରଥମେ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ନଭେମ୍ବର ୨୦୧୮ରେ ନିଯୁକ୍ତ କରାଯାଇଥିଲା | ତେବେ କେନ୍ଦ୍ର ତାଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା, ଯାହାକୁ ‘କମନ କଜ୍’ ନାମକ ଏକ ଏନଜିଓ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଗତ ବର୍ଷ ସେପ୍ଟେମ୍ବର ୮ରେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଉ ବଢ଼ାଇବା ଉଚିତ ନୁହେଁ ବୋଲି କୋର୍ଟ କହିଥିଲେ ମଧ୍ୟ ଏ ସମ୍ପର୍କରେ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୧ରେ ଶେଷ ହେଉଛି। ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ସୁପ୍ରିମକୋର୍ଟ ରାୟର ଉଲ୍ଲଂଘନ ଏବଂ ଏହାକୁ ରଦ୍ଦ କରାଯିବା ଉଚିତ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି ।

ଅନ୍ୟପଟେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ କେନ୍ଦ୍ର ଯୁକ୍ତିଯୁକ୍ତ ବୋଲି କହିଛି । ସୀମା ପାର୍ ଅପରାଧ ସମ୍ବନ୍ଧୀୟ କିଛି ବିଚାରାଧୀନ ମାମଲାର ତଦନ୍ତ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା କେନ୍ଦ୍ର କୋର୍ଟଙ୍କୁ କହିଛି ।