ରାଜନୈତିକ ଦଳଙ୍କ ଦ୍ବାରା ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର ଉପରେ କଟକଣା ଲଗାଇବାକୁ ପିଟିସନ, ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ | News Room Odisha

ରାଜନୈତିକ ଦଳଙ୍କ ଦ୍ବାରା ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର ଉପରେ କଟକଣା ଲଗାଇବାକୁ ପିଟିସନ, ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ରାଜନୈତିକ ଦଳଙ୍କ ନିର୍ବାଚନୀ ଚିହ୍ନରେ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏନେଇ ଦାୟର ଏକ ପିଟିସନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ।

ଏ ସଂକ୍ରାନ୍ତରେ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ରେ ହେବ।

ସୟଦ ୱାସିମ ରିଜବୀ ଓରଫ୍ ଜିତେନ୍ଦ୍ର ନାରାୟଣ ତ୍ୟାଗୀଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ କୁହାଯାଇଛି ଯେ ଧାର୍ମିକ ନାମ କିମ୍ବା ପ୍ରତୀକ ବ୍ୟବହାର କରୁଥିବା ରାଜନୈତିକ ଦଳଗୁଡିକ ଉପରେ କଟକଣା ଲଗାଯିବା ଉଚିତ। ଏହି ମାମଲାରେ ରାଜନୈତିକ ଦଳଗୁଡିକୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି।

ଆବେଦନକାରୀଙ୍କ ତରଫରୁ ହାଜର ହୋଇ ବରିଷ୍ଠ ଓକିଲ ଗୌରବ ଭାଟିଆ କହିଥିଲେ ଯେ ଅନେକ ରାଜନୈତିକ ଦଳ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରନ୍ତି। ଏହା ସେମାନଙ୍କର ପତାକା ଏବଂ ପ୍ରତୀକଗୁଡ଼ିକରେ ପ୍ରତିଫଳିତ ହୋଇଛି | ଏହା ନିୟମ ବିରୁଦ୍ଧ ଏବଂ ଆଚରଣ ସଂହିତାର ଖୋଲା ଉଲ୍ଲଂଘନ |

ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୧୮କୁ ଦିନ ଧାର୍ଯ୍ୟ କରିଛନ୍ତି ।