ବଢ଼ିଲା ଉଦୟନିଧି ଷ୍ଟାଲିନଙ୍କ ଅଡୁଆ, ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍ | News Room Odisha

ବଢ଼ିଲା ଉଦୟନିଧି ଷ୍ଟାଲିନଙ୍କ ଅଡୁଆ, ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ନେଇ ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ରାଜ୍ୟ ସରକାରଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

ସନାତନ ଧର୍ମକୁ ବିରୋଧରେ ମନ୍ତବ୍ୟ ନେଇ ଉଦୟନିଧି ଏବଂ ତାଙ୍କ ଦଳ ଡିଏମକେର ନେତା ଏ.ରାଜାଙ୍କ ବିରୋଧରେ ଦାୟର ଏକ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ୍ ଜାରି କରିଛନ୍ତି। ହେଟ୍ ସ୍ପିଚ୍ ଉପରେ ବିଚାରାଧୀନ ଥିବା ଅନ୍ୟ ଆବେଦନ ସହିତ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ତାମିଲନାଡୁର ସନାତନ ଧର୍ମ ବିରୋଧୀ କାର୍ଯ୍ୟକ୍ରମକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଦାବି କରି ଚେନ୍ନାଇର ଜଣେ ଓକିଲ ସୁପ୍ରିମକୋର୍ଟଧେ ପିଟିସନ ଦାୟର କରିଥିଲେ । ଏହାଛଡ଼ା ସେ ତାଙ୍କ ଆବେଦନରେ ଉଦୟନିଧି ଓ ଏ.ରାଜାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ସନାତନ ଧର୍ମ ସାମାଜିକ ନ୍ୟାୟ ବିରୋଧୀ ଏବଂ ଏହାର ମୂଳପୋଛ ହେବା ଉଚିତ।

ସନାତନ ଧର୍ମକୁ କରୋନା ଭାଇରସ୍, ମ୍ୟାଲେରିଆ ଏବଂ ଡେଙ୍ଗୁ ସହ ତୁଳନା କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି କହିଥିଲେ ଯେ ଏଭଳି ଧର୍ମକୁ କେବଳ ବିରୋଧ କଲେ ଚଳିବନି ବରଂ ବିଲୋପ କରିବା ଜରୁରୀ ।

ଆଉ ଜଣେ ଡିଏମକେ ନେତା ଏ.ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠରୋଗ ସହିତ ତୁଳନା କରି ନିଆଁରେ ଘିଅ ଢ଼ାଳିଥିଲେ।

ଡିଏମକେ ନେତାଙ୍କ ସନାତନ ବିରୋଧୀ ବୟାନ ପରେ ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଆକ୍ରମଣ ତୀବ୍ର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଧ୍ବଂସ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଡିଏମକେ ହେଉଛି ‘ଇଣ୍ଡିଆ’ ମେଣ୍ଟର ଏକ ସହଯୋଗୀ ଦଳ ।