ଚାଷୀ ଆନ୍ଦୋଳନ: କମିଟି ଗଠନ କରି ସମାଧାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଚାଷୀ ଆନ୍ଦୋଳନ: କମିଟି ଗଠନ କରି ସମାଧାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବା ପାଇଁ ଆଗତ ଏକ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। କୃଷକ ସଂଗଠନ ଗୁଡିକୁ ପକ୍ଷଭୁକ୍ତ କରି କମିଟି ଗଠନ କରି ଏହାର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କେନ୍ଦ୍ର, ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ନୋଟିସ ଜାରି କରି ଏନେଇ ଜବାବ ଲୋଡିଛନ୍ତି । ଗୁରୁବାର ଦିନ ଏହି ପ୍ରସଙ୍ଗର ଶୁଣାଣି ଜାରି ରହିବ।

ପୂର୍ବରୁ ପ୍ରଧାନ ବିଚାରପତି ଏସ.ବୋବଡେଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି ବେଳେ ଆବେଦନକାରୀ ଦିଲ୍ଲୀ ସୀମାରେ ଥିବା କୃଷକଙ୍କୁ ହଟାଇବା ପାଇଁ ଶାହିନ୍ ବାଗ ମାମଲାକୁ ଦର୍ଶାଇଥିଲେ। ଏନେଇ ପ୍ରଧାନ ବିଚାରପତି କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତିର କୌଣସି ଉଦାହରଣ ଦିଆଯାଇପାରିବ ନାହିଁ। କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ କିଏ ବାରଣ କରିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କେଉଁ କୃଷକ ସଂଗଠନ ରାସ୍ତା ଅବରୋଧ କରୁଛନ୍ତି? କୃଷକ ସଂଗଠନଗୁଡ଼ିକର ପକ୍ଷ ମଧ୍ୟ ଶୁଣାଯିବ ବୋଲି କୋର୍ଟ କହିଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ସହ ଏପର୍ଯ୍ୟନ୍ତ କାହିଁକି ବୁଝାମଣା ହୋଇନାହିଁ ବୋଲି ସରକାରଙ୍କୁ କୋର୍ଟ ପଚାରିଛନ୍ତି। ଏଭଳି ସମସ୍ୟା ଗୁଡିକର ଯଥାଶୀଘ୍ର ସମାଧାନ ହେବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

Farmers' Protestsupreme court