ଚଣ୍ଡିଗଡ ମେୟର ନିର୍ବାଚନ: ପୁନଃ ଗଣତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୮ ଅବୈଧ ଭୋଟ୍ ବୈଧ ଧରାଯିବ | News Room Odisha

ଚଣ୍ଡିଗଡ ମେୟର ନିର୍ବାଚନ: ପୁନଃ ଗଣତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୮ ଅବୈଧ ଭୋଟ୍ ବୈଧ ଧରାଯିବ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଛନ୍ତି। ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପୁନଃ ଭୋଟ୍ ଗଣତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିଟର୍ଣ୍ଣିଂ ଅଫିସର ମସିହ ଯେଉଁ ୮ ଖଣ୍ଡ ଭୋଟକୁ ବିକୃତ କରି ଅବୈଧ ଘୋଷଣା କରିଥିଲେ, ତାହା ବୈଧ ଧରାଯିବ । ସେହି ୮ ଭୋଟକୁ ମିଶାଇ ପୁନଃ ଗଣନା କରାଯିବ । ଏହାପରେ ଫଳାଫଳ ଘୋଷଣା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଗତକାଲି ଚଣ୍ଡିଗଡ଼ ମେୟର ନିର୍ବାଚନର ସବୁ ବାଲଟ୍ ପେପର ଓ ଭୋଟ ଗଣତିର ଭିଡ଼ିଓ ରେକର୍ଡିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ଟିଟର୍ଣ୍ଣିଂ ଅଫିସର ଅନିଲ ମସିହ ନାକଚ କରିଥିବା ୮ ବାଲଟ୍ ପେପର ଗୁଡ଼ିକୁ ଯାଞ୍ଚ କରିଥିଲେ । ସୁପ୍ରିମକୋର୍ଟ କହିଛନ୍ତିି ଯେ ଏହି ୮ ବାଲଟ୍ ପେପରରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଭୋଟ୍ ଦିଆଯାଇଛି। କୋର୍ଟ ସମସ୍ତ ପକ୍ଷଙ୍କୁ ବାଲଟ୍ ପେପର ଦେଖିବା ପାଇଁ ଅନୁମତି ଦେଇଥିଲେ । ଏହା ପରେ ମସିହ ଏବଂ ତାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ନାକଚ ୮ ବାଲଟ୍ ପେପର ଗୁଡ଼ିକୁ ଦେଖିଥିଲେ। ଏହି ସମୟରେ ଆପ୍ ପ୍ରାର୍ଥୀଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଏହାକୁ କୋର୍ଟର ଅବମାନନା ଓ ଏକ ଗମ୍ଭୀର ଅପରାଧ ବୋଲି କହିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଅବୈଧ ଘୋଷିତ ୮ ଭୋଟକୁ ବୈଧ ଧରାଯିବ ବୋଲି କହିଥିଲେ । ପୁନଃ ଗଣନା ପରେ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ମନୋଜ ସୋନକର ୧୬ ଭୋଟରେ ଜିତିଥିଲେ । ସେ ଆମ୍ ଆଦମୀ ପାର୍ଟି-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ପରାସ୍ତ କରିଥିଲେ । କୁଲଦୀପ କୁମାରଙ୍କ ସପକ୍ଷରେ ୧୨ ଭୋଟ୍ ପଡ଼ିଥିଲା । ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ୮ଟି ଭୋଟକୁ ଅବୈଧ ଘୋଷଣା କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଆପ୍-କଂଗ୍ରେସ ଟାମ୍ପରିଂ ଅଭିଯୋଗ ଆଣିଥିଲେ।

ଗତକାଲି ଶୁଣାଣି ବେଳେ ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ବାଲଟ୍ ପେପରରେ କାହିଁକି ଛକି ମାରିଥିଲ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ବିରୋଧରେ ଅଲଗା ମକଦ୍ଦମା ଚାଲିବ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳର ଏକ ଭାଇରାଲ ଭିଡ଼ିଓରେ ରିଟର୍ଣ୍ଣିଂ ଅଫିସର ମସିହ ବାଲଟ୍ ପେପର ଗୁଡ଼ିକୁ ବିକୃତ କରୁଥିବା ଦେଖିବାକୁ ମିଳିଥିଲା। ଫେବୃଆରୀ ୫ରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହାକୁ ଗଣତନ୍ତ୍ରର ହତ୍ୟା ତଥା ଉପହାସ ବୋଲି କହିଥିଲେ।

ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ପୂର୍ବରୁ ବିଜେପି ନେତା ମନୋଜ ସୋନକର ଚଣ୍ଡିଗଡ଼ ମେୟର ପଦରୁ ଇସ୍ତଫା ଦେଇଥିଲେ ।