କେନ୍ଦ୍ରକୁ ଝଟକା, ଦିଲ୍ଲୀ ଅଧ୍ୟାଦେଶ ମାମଲାକୁ ସମ୍ବିଧାନ ପୀଠକୁ ପଠାଇଲେ ସୁପ୍ରିମକୋର୍ଟ | News Room Odisha

କେନ୍ଦ୍ରକୁ ଝଟକା, ଦିଲ୍ଲୀ ଅଧ୍ୟାଦେଶ ମାମଲାକୁ ସମ୍ବିଧାନ ପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧତା ଉପରେ ନିଷ୍ପତ୍ତି ନେବ।

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜଧାନୀରେ ପୋଲିସ, ଆଇନ ଶୃଙ୍ଖଳା ଏବଂ ଜମି ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ହେଲେ ଏହାର ସପ୍ତାହକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ।

ଦିଲ୍ଲୀର କେଜ୍ରିୱାଲ ସରକାର କେନ୍ଦ୍ରର ଏହି ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଏହି ମାମଲାକୁ ସୁପ୍ରିମକୋର୍ଟର ସମ୍ବିଧାନ ପୀଠକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ଵ କରିଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ ଏହି ଅଧ୍ୟାଦେଶ ଏକ ନିର୍ବାଚିତ ସରକାରଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।