ଶିବସେନା ଲଢ଼େଇ: ନିର୍ବାଚନ ଆୟୋଗର ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ଶିବସେନା ଲଢ଼େଇ: ନିର୍ବାଚନ ଆୟୋଗର ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାର ନାମ ଓ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିବା ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଉଦ୍ଧବ ଗୋଷ୍ଠୀର ଆବେଦନ ଉପରେ କୋର୍ଟ ସିନ୍ଦେ କ୍ୟାମ୍ପକୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହି ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ ।

ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଆମେ ନିର୍ବାଚନ ଆୟୋଗର ଆଦେଶ ଉପରେ ରୋକ୍ ଲଗାଇ ପାରିବୁ ନାହିଁ | ଉଦ୍ଧବ ଗୋଷ୍ଠୀ ପକ୍ଷରୁ ହାଜର ହୋଇ ବରିଷ୍ଠ ଓକିଲ କପିଳ ସିବଲ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ କୋର୍ଟ ଏପରି କୌଣସି ଆଦେଶ ଦେବାକୁ ମନା କରିଛନ୍ତିି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଦ୍ଧବ ଗୋଷ୍ଠୀର ଆବେଦନ ପୂର୍ବରୁ ସିନ୍ଦେ କ୍ୟାମ୍ପ ମଧ୍ୟ ସୁପ୍ରିମକୋର୍ଟରେ ଏକ କେଭିଟ୍ ଦାଖଲ କରିଥିଲା । ଏଥିରେ ଯେ କୌଣସି ରାୟ ଦେବା ପୂର୍ବରୁ ସୁପ୍ରିମକୋର୍ଟ ଏହାର ପକ୍ଷ ଶୁଣିବାକୁ ସିନ୍ଦେ ଗୋଷ୍ଠୀ ଅନୁରୋଧ କରିଥିଲେ ।

ନିର୍ବାଚନ ଆୟୋଗ ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କ ସମସ୍ୟା ବଢିବାରେ ଲାଗିଛି | ପ୍ରଥମେ ଦଳର ନାମ ଏବଂ ଚିହ୍ନ ଗଲା । ଏବେ ମହାରାଷ୍ଟ୍ର ବିଧାନ ଭବନ ଓ ସଂସଦରେ ଥିବା ଦଳର ଅଫିସ୍ ମଧ୍ୟ ସିନ୍ଦେ ଗୋଷ୍ଠୀ ଦିଆଯାଇଛି। ବର୍ତ୍ତମାନ ସିନ୍ଦେ ଗୋଷ୍ଠୀର ନଜର ବିଏମସି ମୁଖ୍ୟାଳୟ ଉପରେ ରହିଛି ।