ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କଲେ ସୁପ୍ରିମକୋର୍ଟ | News Room Odisha

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ନିଷ୍ପତ୍ତି କେବଳ ସଂସଦ ନେଇପାରିବ‌ ବୋଲି କହିଛନ୍ତି କୋର୍ଟ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନିଷ୍ପତ୍ତି ସଂସଦ ଉପରେ ଛାଡିଥିଲେ ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି, ସମଲିଙ୍ଗୀ ବ୍ୟକ୍ତିମାନେ ସମାନ ବୈବାହିକ ଅଧିକାର ପାଇବା ଉଚିତ । ଯଦି ସମଲିଙ୍ଗୀ ଦମ୍ପତିମାନେ ଏହି ଅଧିକାର ନ ପାଆନ୍ତି ତେବେ ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯିବ | ସମଲିଙ୍ଗୀ ଓ ଅବିବାହିତ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ।

ସମଲିଙ୍ଗୀ ସମୁଦାୟ ପ୍ରତି କୌଣସି ପ୍ରକାର ଭେଦଭାବ ହେବା ଅନୁଚିତ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାର ଏନେଇ ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି କୋର୍ଟ।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଯଦି ସ୍ୱତନ୍ତ୍ର ବିବାହ ଆଇନ ରଦ୍ଦ ହୁଏ ତେବେ ଏହା ଦେଶକୁ ପ୍ରାକ୍ ସ୍ୱାଧୀନତା ଯୁଗକୁ ଠେଲିଦେବ। କିନ୍ତୁ ଏ ସମ୍ପର୍କରେ ନିଷ୍ପତ୍ତି ନେବା ବ୍ୟବସ୍ଥାପିକାର କାମ ।

ବିବାହ ଅଧିକାର‌ ଆଇନରେ ସଂଶୋଧନ କରିବା ଅଧିକାର ବ୍ୟବସ୍ଥାପିକାର ଅଛି । କିନ୍ତୁ ସମଲିଙ୍ଗୀ ମାନଙ୍କର ମଧ୍ୟ ନିଜ ଜୀବନ ସାଥୀ ବାଛିବା ଏବଂ ଏକାଠି ବଞ୍ଚିବାର ଅଧିକାର ରହିଛି । ସରକାର ସେମାନଙ୍କୁ ଦିଆଯାଇଥିବା ଅଧିକାରକୁ ସ୍ୱୀକୃତି ଦେବା ଆବଶ୍ୟକ, ଯାହା ଦ୍ବାରା ଏହି ଦମ୍ପତିମାନେ ବିନା ଅସୁବିଧାରେ ଏକାଠି ରହିପାରିବେ।

ତାଙ୍କ ନିଷ୍ପତ୍ତିରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସମଲିଙ୍ଗୀ ସମ୍ପର୍କ ସହରୀ ଧାରଣା ନୁହେଁ କି ଏହା ଏଲିଟ୍ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ। ଦେଶର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ସମଲିଙ୍ଗୀ ଲୋକ ଅଛନ୍ତି |