ଦିଲ୍ଲୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ରହିବ: ସୁପ୍ରିମକୋର୍ଟ | News Room Odisha

ଦିଲ୍ଲୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ଫୁଟାଇବା ଉପରେ କଟକଣା ଜାରି ରହିବ। ସୋମବାର ସୁପ୍ରିମକୋର୍ଟ ଏହି ଶୁଣାଣି ବେଳେ ଜାତୀୟ ରାଜଧାନୀରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ହଟାଇବାକୁ ମନା କରି ଦେଇଛନ୍ତି। ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ବାଣ ବିକ୍ରି ତଥା ଫୁଟାଇବା ଉପରେ ରୋକ୍ ଲଗାଇଛି।

ଗତ ମାସରେ ହିଁ ଦିଲ୍ଲୀ ସରକାର ବାଣ ଉପରେ କଟକଣାକୁ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ଯେ ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ମହଜୁଦ, ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଏହି ନିଷେଧାଦେଶ ଅନଲାଇନ୍ ବାଣ ବିକ୍ରି ଉପରେ ମଧ୍ୟ ଲାଗୁ ହେବ ବୋଲି ସେ କହିଥିଲେ। ତେବେ ଏହି କଟକଣା କେବେ କାର୍ଯ୍ୟକାରୀ ହେବ ସେ ସ୍ପଷ୍ଟ କରି ନାହାଁନ୍ତି। ଏହି କଟକଣା କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି (ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି) ଏବଂ ରାଜସ୍ୱ ବିଭାଗ ସହିତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ।