ଇଭିଏମ୍-ଭିଭିପାଟ୍ ୧୦୦% ଯାଞ୍ଚ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କିନ୍ତୁ ଦେଲେ ଏହି ଦୁଇ ନିର୍ଦ୍ଦେଶ | News Room Odisha

ଇଭିଏମ୍-ଭିଭିପାଟ୍ ୧୦୦% ଯାଞ୍ଚ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କିନ୍ତୁ ଦେଲେ ଏହି ଦୁଇ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଦିଆଯାଉଥିବା ଭୋଟକୁ, ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ସହ ୧୦୦ ପ୍ରତିଶତ ମେଳ କରିବା ଦାବି କରି ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ ବାଲଟ୍ ପେପର ଜରିଆରେ ମତଦାନ ପାଇଁ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ଇଭିଏମ୍-ଭିଭିପାଟ୍ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମ ନିର୍ଦ୍ଦେଶ ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ୍ (ଏସ୍ଏଲୟୁ) କୁ ସିଲ୍ କରାଯିବ । ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ସିଲ୍ ଉପରେ ଦସ୍ତଖତ କରିବେ । ଇଭିଏମ୍ ସହ ‘ଏସ୍ଏଲୟୁ’କୁ ଫଳାଫଳ ଘୋଷଣାର ୪୫ ଦିନ‌ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖାଯିବ | ଯାଞ୍ଚ୍ ପାଇଁ ଆବଶ୍ୟକ ପଡିଲେ ସେଗୁଡ଼ିକ ଖୋଲାଯିବ।

ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ନିର୍ଦ୍ଦେଶ ହେଉଛି – ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀ ଫଳାଫଳ ଘୋଷଣାର ୭ ଦିନ ମଧ୍ୟରେ ଇଭିଏମ୍ ତିଆରି କରୁଥିବା ସଂସ୍ଥା/କମ୍ପାନୀର ଏକ ଇଞ୍ଜିନିୟରିଂ ଟିମ୍ ଦ୍ୱାରା ଇଭିଏମ୍-ଭିଭିପାଟ୍ ଯାଞ୍ଚ୍ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥିବା ପ୍ରମାଣିତ ହୁଏ, ତେବେ ଆବେଦନକାରୀ ପ୍ରାର୍ଥୀଙ୍କୁ ଅର୍ଥ ଫେରସ୍ତ କରାଯିବ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏପ୍ରିଲ ୨୪ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲା ଖଣ୍ଡପୀଠ।

ଇଭିଏମ୍ ସହ ଭିଭିପାଟର ୧୦୦ ପ୍ରତିଶତ ମେଳ ପାଇଁ ଏନଜିଓ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ସହ ଅକ୍ଷୟ ଭଚାନ୍ଦ ଖଜେଦ ଏବଂ ଅରୁଣ କୁମାର ଅଗ୍ରୱାଲ ଆବେଦନ କରିଥିଲେ । ଆବେଦନକାରୀ ଭିଭିପାଟ୍ ସ୍ଲିପର ବ୍ୟକ୍ତିଗତ ଭାବେ ଯାଞ୍ଚ୍ ପାଇଁ ଭୋଟରଙ୍କୁ ଅନୁମତି ଦେବାକୁ ମଧ୍ୟ ଦାବି କରିଥିଲେ ।

ଭିଭିପାଟ୍ ମେସିନ୍ ଜରିଆରେ ଜଣେ ଭୋଟର ତାଙ୍କ ଭୋଟ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ତାହା ମେସିନରୁ ୭ ସେକେଣ୍ଡ ପାଇଁ ବାହାରୁଥିବା ସ୍ଲିପ ଦେଖି ନିଶ୍ଚିତ କରିପାରିବେ। ସମ୍ପ୍ରତି ପ୍ରତି ନିର୍ବାଚନ ମଣ୍ଡଳୀରେ ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ୫ଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)କୁ ମେଳ କରାଯାଉଛି ।

ଏହି ମାମଲାର ଦୁଇ ଦିନ ଧରି ଶୁଣାଣି ପରେ ଖଣ୍ଡପୀଠ ଏପ୍ରିଲ ୧୮ରେ ରାୟ ସଂରକ୍ଷିତ ରଖିଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ବୁଧବାର (ଏପ୍ରିଲ ୨୪) ଏହି ମାମଲାକୁ ତାଲିକାଭୁକ୍ତ କରିଥିଲେ। ସୁପ୍ରିମକୋର୍ଟ କିଛି ବିଷୟ ଉପରେ ନିର୍ବାଚନ କମିଶନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ରାୟ ସଂରକ୍ଷିତ ରଖିବା ବେଳେ ଆମେ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବୁ ନାହିଁ ବୋଲି ଟିପ୍ପଣୀ କରିଥିଲେ ସୁପ୍ରିମକୋର୍ଟ ।