ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କ ବଢ଼ିଲା ଅଡ଼ୁଆ, କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ | News Room Odisha

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କ ବଢ଼ିଲା ଅଡ଼ୁଆ, କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମଡି) ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ଆମେ ଏହି ମାମଲାରେ ଏତେ ଉଦାର ହେବାକୁ ଚାହୁଁ ନାହୁଁ ବୋଲି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୬ରେ ହେବ।

ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଖଣ୍ଡପୀଠ ସମ୍ମୁଖରେ ରାମଦେବଙ୍କ ସତ୍ୟପାଠ ପଢ଼ିଥିଲେ ଯେଉଁଥିରେ ସେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

ପତଞ୍ଜଳି ଆୟୁର୍ବେଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସର୍ବୋଚ୍ଚ ଅଦାଲତ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣ ଉପରେ ମଧ୍ୟ ବର୍ଷିଥିଲେ। ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ତୁମର ଏପରି କୋହଳ ଆଭିମୁଖ୍ୟକୁ ଆମେ ହାଲକାରେ ନେବୁ ନାହିଁ। ଆମେ ତୁମକୁ ଚିରିଦେବୁ ବୋଲି ଉତ୍ତରାଖଣ୍ଡ ଲାଇସେନ୍ସିଂ ପ୍ରାଧିକରଣକୁ କଡ଼ା ଭାଷାରେ କହିଥିଲେ କୋର୍ଟ।

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଏବଂ ବାଲକୃଷ୍ଣ ସୁପ୍ରିମକୋର୍ଟରେ ଦାଖଲ ଦୁଇଟି ପୃଥକ ସତ୍ୟପାଠ ଜରିଆରେ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ କୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ନାହାଁନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ୨୧ ନଭେମ୍ବର, ୨୦୨୩ରେ ଦେଇଥିବା ନିର୍ଦ୍ଦେଶରେ କହିଥିଲେ ଯେ, ପତଞ୍ଜଳି ଆୟୁର୍ବେଦର ପ୍ରତିନିଧିତ୍ୱ କରୁଥିବା ଓକିଲ ଆମକୁ ଆଶ୍ଵାସନା ଦେଇଛନ୍ତି ଯେ ଏଣିକି ପତଞ୍ଜଳି ଆୟୁର୍ବେଦ ଦ୍ବାରା ନିର୍ମିତ ଓ ବିପଣନ ହେଉଥିବା ଦ୍ରବ୍ୟର ବିଜ୍ଞାପନ କିମ୍ବା ବ୍ରାଣ୍ଡିଂ ସମ୍ବନ୍ଧୀୟ କୌଣସି ଆଇନର ଉଲ୍ଲଂଘନ ହେବ ନାହିଁ। ଏହାଛଡ଼ା ପତଞ୍ଜଳି କୋର୍ଟକୁ କହିଥିଲା ଯେ ଏହାର ଔଷଧୀୟ ଦ୍ରବ୍ୟର ପ୍ରଭାବ ସମ୍ପର୍କରେ ଏବଂ ଅନ୍ୟ କୌଣସି ଚିକିତ୍ସା ପଦ୍ଧତି ବିରୋଧରେ କୌଣସି ବୟାନ ଗଣମାଧ୍ୟମରେ ପ୍ରକାଶ କରାଯିବ ନାହିଁ।ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ କୋର୍ଟକୁ ଦେଇଥିବା କଥା ପାଳନ କରିବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

ତେବେ କୋର୍ଟରେ ସତ୍ୟପାଠ ସତ୍ତ୍ୱେ ପତଞ୍ଜଳି ତା’ ପରଦିନ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା ଓ ଗଣମାଧ୍ୟମରେ ନିଜ ଆୟୁର୍ବେଦିକ ଔଷଧ ସମ୍ପର୍କିତ ବିଜ୍ଞାପନ ଜାରି କରିଥିଲା। ଏନେଇ ସୁପ୍ରିମକୋର୍ଟ ପତଞ୍ଜଳି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୋର୍ଟ ପତଞ୍ଜଳିଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ।

ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ଦାଖଲ ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ଆଇଏମ୍ଏ

ଏହାଛଡ଼ା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାନଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । ପତଞ୍ଜଳି ବିଜ୍ଞାପନ ପ୍ରତି କେନ୍ଦ୍ର ଆଖି ବନ୍ଦ କରି ବସିଥିଲା ବୋଲି ‌କହିଥିଲେ କୋର୍ଟ।

ପତଞ୍ଜଳି ବିରୋଧରେ ‘ଭାରତୀୟ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ)ର ଏକ ଆବେଦନ ଉପରେ ଶୁଣାଣି କହୁଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ଟିକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ରାମଦେବ ଓ ପତଞ୍ଜଳି ଅପପ୍ରଚାର ଚଳାଉଛି ବୋଲି ଅଭିଯୋଗ କରିଥିଲା ଆଇଏମ୍ଏ ।

ଏପ୍ରିଲ ୨ରେ ହୋଇଥିବା ଏହି ମାମଲାର ଶୁଣାଣି ବେଳେ କୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ କଡ଼ା ଭର୍ତ୍ସନା କରିଥିଲେ। କୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ ଲୋକ ଦେଖାଣିଆ ବୋଲି କହି ଖାରଜ କରିଦେଇଥିଲେ । ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।