ପେଗାସସ୍ ମାମଲା: ସାନି ସତ୍ୟପାଠ ଦାଖଲ କରିବାକୁ ମନାକଲା କେନ୍ଦ୍ର, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ | News Room Odisha

ପେଗାସସ୍ ମାମଲା: ସାନି ସତ୍ୟପାଠ ଦାଖଲ କରିବାକୁ ମନାକଲା କେନ୍ଦ୍ର, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆଜି ପୁଣି ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟର ବିଶେଷଜ୍ଞ ମାନଙ୍କର ଏକ ନିରପେକ୍ଷ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ ଯାହାକି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ | ତେବେ ଆବେଦନକାରୀମାନେ ଏହାକୁ ବିରୋଧ କରି କହିଛନ୍ତି ଯେ କେନ୍ଦ୍ର ନୁହେଁ କୋର୍ଟ କମିଟି ଗଠନ କରିବା ଉଚିତ୍। ଏହି ମାମଲାର ରାୟ ୨-୩ ଦିନ ପରେ ଆସିପାରେ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ସେପ୍ଟେମ୍ବର ୭ରେ କେନ୍ଦ୍ର ସରକାର କହିଥିଲେ ଯେ ଏହି ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ କରିବାକୁ ବିଚାର କରାଯାଉଛି। କିନ୍ତୁ ଆଜି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏଭଳି ସତ୍ୟପାଠ ସରକାର ଦାଖଲ କରିବାକୁ ଚାହୁଁନଥିବା କହିଥିଲେ। ସେ କହିଥିଲେ, “ଆବେଦନକାରୀ କହିବାକୁ ଚାହାଁନ୍ତି ଯେ ସରକାର ପେଗାସସ୍ ବ୍ୟବହାର କରିଛନ୍ତି କି ନାହିଁ। ଆମେ ହଁ କିମ୍ବା ନା କହିଲେ ଏହା ଦେଶର ଶତ୍ରୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଲଟିବ । ତଦନୁସାରେ ସେମାନେ ଦେଶ ବିରୋଧରେ ଷଡ଼ଯନ୍ତ୍ର ପ୍ରସ୍ତୁତ କରିବେ । ଏହି ପ୍ରସଙ୍ଗ ସର୍ବସାଧାରଣଙ୍କ ଆଲୋଚନା ପାଇଁ ନୁହେଁ। ତଦନ୍ତ କମିଟି ଗଠନ କରିବାକୁ ଆମକୁ ଅନୁମତି ଦିଆଯାଉ। କମିଟି ରିପୋର୍ଟ କୋର୍ଟରେ ଦାଖଲ କରିବ। ”

ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ୧୫ଟି ଆବେଦନ ଦାଖଲ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଏନ୍ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତି ଏହି ମାମଲାରେ କୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ କରିବାକୁ ନିବେଦନ କରିଥିଲେ। ଦେଶର ରାଜନେତା, ସାମ୍ବାଦିକ, ପୂର୍ବତନ ବିଚାରପତି ଏବଂ ସାଧାରଣ ନାଗରିକଙ୍କ ଉପରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା।