ନୂଆଦିଲ୍ଲୀ: ଜିଏସଟି ପରିଷଦର ସୁପାରିସ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଜିଏସଟି ପରିଷଦର ସୁପାରିସକୁ ଗ୍ରହଣ କରିବା ବାଧ୍ୟ ନୁହଁନ୍ତି। ଜିଏସଟି ଉପରେ ଆଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକର ସମାନ ଅଧିକାର ରହିଛି।
ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବ୍ୟାବହାରିକ ସମାଧାନ ହାସଲ କରିବା ପାଇଁ ଜିଏସଟି ପରିଷଦ ଏକ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରିବା ଉଚିତ। ଜିଏସଟି କାଉନସିଲର ସୁପାରିସ ଗୁଡିକ ସହଯୋଗ ଭତ୍ତିକ ଆଲୋଚନାର ଫଳାଫଳ | ସଂଘୀୟ ବ୍ୟବସ୍ଥାରେ ଜଣଙ୍କ ପାଖରେ ସର୍ବଦା ଅଧିକ ଅଂଶଧନ ରହିବା ଜରୁରୀ ନୁହେଁ |
ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଜିଏସଟି ପରିଷଦର ସୁପାରିଶକୁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି। ଏ ଗୁଡିକ କେବଳ ଉତ୍ସାହଜନକ କିମ୍ବା ପ୍ରେରଣାଦାୟକ ହୋଇଥାଏ | ଜିଏସଟିରେ ସେପରି କୌଣସି ବ୍ୟବସ୍ଥା ନାହିଁ ଯାହା ଦ୍ବାରା କେନ୍ଦ୍ର ଏବଂ ରାଜ୍ୟ ଦ୍ଵାରା ପ୍ରସ୍ତୁତ ଆଇନରେ କୌଣସି ପାର୍ଥକ୍ୟ ରହିଲେ ତା’ର ସମାଧାନ ହୋଇପାରିବ। ଯଦି ଏପରି ପରିସ୍ଥିତି ଉପୁଜେ, ଜିଏସଟି ପରିଷଦ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇଥାଏ ବୋଲି କୋର୍ଟ କହିଛନ୍ତି ।
ମାମଲା ଥିଲା ଏହିପରି । ୨୦୨୦ରେ ଗୁଜୁରାଟ ହାଇକୋର୍ଟ ରିଭର୍ସ ଚାର୍ଜ ମୁତାବକ ସାମୁଦ୍ରିକ ମାଲ ଆମଦାନୀକାରୀଙ୍କ ଠାରୁ ଆଇଜିଏସଟି ଆଦାୟ କରିବ ନିଷ୍ପତ୍ତି ରଦ୍ଦ କରି ଦେଇଥିଲେ। ୫% ଆଇଜିଏସଟି ଆଦାୟ କରିବାକୁ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଗୁଜୁରାଟ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ବର୍ତ୍ତମାନ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି ।
ଜିଏସଟି ପରିଷଦ ହେଉଛି ମୁଖ୍ୟ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ଯାହା ଜିଏସଟି ଆଇନ ଅନୁଯାୟୀ କରାଯିବାକୁ ଥିବା କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ଆବଶ୍ୟକୀୟ ନିଷ୍ପତ୍ତି ନିଏ | ଜିଏସଟି କାଉନସିଲର ଦାୟିତ୍ୱ ହେଉଛି ସମଗ୍ର ଦେଶରେ ସାମଗ୍ରୀ ଏବଂ ସେବା ପାଇଁ ସମାନ ଟ୍ୟାକ୍ସ ସ୍ଥିର କରିବା | ଜିଏସଟି ପରିଷଦର ଅଧ୍ୟକ୍ଷତା କେନ୍ଦ୍ର ଅର୍ଥମନ୍ତ୍ରୀ କରିଥାନ୍ତି ଏବଂ ରାଜ୍ୟର ଅର୍ଥମନ୍ତ୍ରୀମାନେ ଜିଏସଟି ପରିଷଦର ସଦସ୍ୟ ଅଟନ୍ତି। ଜୁଲାଇ ୧, ୨୦୨୨ ରେ ଜିଏସଟି ଲାଗୁ ହେବାର ପାଞ୍ଚ ବର୍ଷ ହେବ | ଜିଏସଟି ଆଇନ ୧ ଜୁଲାଇ ୨୦୧୭ ରୁ ସାରା ଦେଶରେ ଲାଗୁ କରାଯାଇଥିଲା | ଏକ୍ସାଇଜ୍ ଡ୍ୟୁଟି, ସେବା କର, ଭ୍ୟାଟ୍ ଏବଂ ସେଲ୍ସ ଟ୍ୟାକ୍ସ ମିଶାଇ ଜିଏସଟି ସୃଷ୍ଟି କରାଯାଇଥିଲା |