ମାରିଟାଲ ରେପ୍ ମାମଲା: ଫେବୃଆରୀ ୧୫ ସୁଦ୍ଧା ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ମାରିଟାଲ ରେପ୍ ମାମଲା: ଫେବୃଆରୀ ୧୫ ସୁଦ୍ଧା ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାରିଟାଲ ରେପ୍ ବା ବୈବାହିକ ବଳାତ୍କାରକୁ ଅପରାଧ ଭାବେ ବିବେଚନା କରିବା ସଂକ୍ରାନ୍ତ ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ ସୁଦ୍ଧା କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରିବାରେ କେବଳ ନ୍ୟାୟିକ ନୁହେଁ ସାମାଜିକ ପରିଣାମ ମଧ୍ୟ ରହିବ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ନରସିଂହ ଏବଂ ଜେ.ବି ପାଦ୍ରିୱାଲା ଏହି ମାମଲାର ଶୁଣାଣି କରୁଛନ୍ତି ।

ଆସନ୍ତା ମାର୍ଚ୍ଚରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କୌଣସି ହାଇକୋର୍ଟଙ୍କୁ ନ ଦେଇ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ତୁଷାର ମେହେଟ୍ଟା କହିଛନ୍ତି ଯେ “ନ୍ୟାୟିକ ସହିତ ଏହି ମାମଲାର ସାମାଜିକ ପରିଣାମ ମଧ୍ୟ ରହିବ। ଆମେ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକର ମତାମତ ଚାହୁଁ । କିଛି ମାସ ତଳେ ଆମେ ରାଜ୍ୟମାନଙ୍କଠାରୁ ସେମାନଙ୍କ ମତାମତ ଲୋଡ଼ିଥିଲୁ |

ବୈବାହିକ ବଳାତ୍କାରକୁ ଅପରାଧ ଭାବେ ବିବେଚନା କରିବା ସଂକ୍ରାନ୍ତ ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏଥି ମଧ୍ୟରୁ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମଧ୍ୟ ଗୋଟିଏ ଆବେଦନ ହୋଇଛି । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବା ଏବଂ ତାଙ୍କୁ ‘ଯୌନ ଦାସୀ’ ବୋଲି ଅଭିହିତ କରିଥିଲେ । କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ଦଫାକୁ ରଦ୍ଦ କରିଦେଇଥିଲେ ।