ୟୁପି ଛାତ୍ରଙ୍କୁ ଚାପୁଡ଼ା ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯୋଗୀ ସରକାରଙ୍କୁ ନୋଟିସ୍ | News Room Odisha

ୟୁପି ଛାତ୍ରଙ୍କୁ ଚାପୁଡ଼ା ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯୋଗୀ ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ପିଲାକୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ମାମଲାର ତଦନ୍ତ ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ମୁଜାଫରନଗର ପୋଲିସ ଅଧୀକ୍ଷକ (ଏସପି)ଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଜଷ୍ଟିସ୍ ପଙ୍କଜ ମିତ୍ତଲଙ୍କ ଏକ ଖଣ୍ଡପୀଠ ମଧ୍ୟ ଛାତ୍ର ତଥା ତାଙ୍କ ପିତାମାତାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ଏସପିଙ୍କୁ କହିଛନ୍ତି। ଏହାଛଡ଼ା ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରି ୨୫ ସେପ୍ଟେମ୍ବର ସୁଦ୍ଧା ଜବାବ ମାଗିଛନ୍ତି ।

ଛାତ୍ରଙ୍କୁ ଚାପୁଡ଼ା ମାମଲାର ଶୀଘ୍ର ତଦନ୍ତ ପାଇଁ ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀଙ୍କ ଦ୍ବାରା ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସାମ୍ପ୍ରଦାୟିକ ମନ୍ତବ୍ୟ ଦେବା ଏବଂ ହୋମୱାର୍କ ନ କରିବାରୁ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ ଅନ୍ୟ ପିଲାମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ମୁଜାଫରନଗର ପୋଲିସ ଏକ ମାମଲା ରୁଜୁ କରିଥିଲା।

ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ ସମ୍ପୃକ୍ତ ସ୍କୁଲକୁ ନୋଟିସ୍ ପଠାଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡ଼ିଓରେ ଉତ୍ତର ପ୍ରଦେଶ ମୁଜାଫରନଗରର ଖୁବାପୁର ଗ୍ରାମ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସାମ୍ପ୍ରଦାୟିକ ଟିପ୍ପଣୀ କରିବା ସହ ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ ଶ୍ରେଣୀର ଅନ୍ୟ ଛାତ୍ରମାନଙ୍କୁ କହୁଥିବା ଦେଖିବାକୁ ମିଳିଥିଲା।