କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣରେ ବିଳମ୍ବ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତମେ ପଦକ୍ଷେପ ନେବା ବେଳକୁ ତୃତୀୟ ଲହର ବି ଚାଲିଯାଇଥିବ | News Room Odisha

କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣରେ ବିଳମ୍ବ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତମେ ପଦକ୍ଷେପ ନେବା ବେଳକୁ ତୃତୀୟ ଲହର ବି ଚାଲିଯାଇଥିବ

ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ଏପର୍ଯ୍ୟନ୍ତ କୌଣସି ନୀତି ନିର୍ଦ୍ଧାରଣ ହୋଇନଥିବାରୁ କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ବ୍ୟତୀତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ପ୍ରକୃତ କାରଣ ରେକର୍ଡ କରିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ଜବାବ ଦାଖଲ କରାଯାଇ ନଥିବା ଯୋଗୁଁ କୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି- ଆପଣ ଏହି ମାମଲାରେ ପଦକ୍ଷେପ ନେବା ବେଳକୁ ତୃତୀୟ ଲହର ଆସି ଚାଲିଯାଇଥିବ।

ଏହି ପ୍ରସଙ୍ଗରେ ସେପ୍ଟେମ୍ବର ୧୧ ସୁଦ୍ଧା କଣ ନିଷ୍ପତ୍ତି ହୋଇଛି ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଜୁନ୍ ୩୦ରେ କରୋନା ଯୋଗୁଁ ଘଟିଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ସ୍ଥିର କରିବାକୁ କୋର୍ଟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମ୍ଏ)କୁ ଆଦେଶ ଦେଇଥିଲେ। ଏପରି ବିପଦରେ ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଆଇନଗତ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ। କିନ୍ତୁ କ୍ଷତିପୂରଣ ରାଶିର ପରିମାଣ ସ୍ଥିର କରିବା ନିଷ୍ପତ୍ତି କୋର୍ଟ ସରକାରଙ୍କ ଉପରେ ଛାଡି ଦେଇଥିଲେ।