କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ ଭଳି ବ୍ୟବହାର କରନି, ନିଟ୍‌ ପରୀକ୍ଷାରେ ଶେଷ ମୁହୂର୍ତ୍ତ ପରିବର୍ତ୍ତନ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା | News Room Odisha

କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ ଭଳି ବ୍ୟବହାର କରନି, ନିଟ୍‌ ପରୀକ୍ଷାରେ ଶେଷ ମୁହୂର୍ତ୍ତ ପରିବର୍ତ୍ତନ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପିଜି ସୁପର-ସ୍ପେସିଆଲିଟି ପରୀକ୍ଷା ୨୦୨୧ର ସିଲାବସରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ‘କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ’ ଭଳି ବ୍ୟବହାର କରନାହିଁ ବୋଲି କୋର୍ଟ କେନ୍ଦ୍ରକୁ କହିଛନ୍ତି। ସୁପ୍ରିମକୋର୍ଟ ସରକାରଙ୍କୁ ସମ୍ପୃକ୍ତ ଅଧିକାରୀଙ୍କ ବୈଠକ ଡକାଇ ଆସନ୍ତା ସୋମବାର ଦିନ ଏହି ‌‌ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ କହିଛନ୍ତି।

କୋର୍ଟ କହିଛନ୍ତି ଯେ, ‘ଏହି ଯୁବ ଡାକ୍ତରମାନଙ୍କୁ କ୍ଷମତା ଖେଳରେ ଫୁଟବଲ ବୋଲି ଭାବନ୍ତୁ ନାହିଁ। ଆମେ ଏହି ଡାକ୍ତରମାନଙ୍କୁ ଅମଲାତନ୍ତ୍ରୀଙ୍କ ଦୟାରେ ଛାଡ଼ି ପାରିବୁ ନାହିଁ। ସରକାର ନିଜ ଘର ସଜାଡ଼ିବା ଉଚିତ୍। କେବଳ କ୍ଷମତା ଅଛି ବୋଲି ଆପଣ ଏହାକୁ ଇଚ୍ଛା ମୁତାବକ ବ୍ୟବହାର କରିପାରିବେ ନାହିଁ | ନିଟ୍ ପରୀକ୍ଷା ଏହି ଛାତ୍ରମାନଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆପଣ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିପାରିବେ ନାହିଁ |

ନିଟ୍ ପରୀକ୍ଷା ଢାଞ୍ଚାରେ ହଠାତ୍ ଶେଷ ମୁହୂର୍ତ୍ତ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ୪୧ ପିଜି ଡାକ୍ତର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ | ଛାତ୍ରମାନଙ୍କ ଯୁକ୍ତି ଥିଲା ଯେ ପରୀକ୍ଷାର ମାତ୍ର ୨ ମାସ ପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି।

ନିଟ୍ ପିଜି ସୁପର ସ୍ପେସିଆଲିଟି ସିଲାବସରେ ଶେଷ ମୁହୂର୍ତ୍ତର ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୦ରେ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ), ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ।

୨୦୧୮ରେ ନିଟ୍ ପରୀକ୍ଷାରେ ଜେନେରାଲ୍ ମେଡିସିନ୍ ବିଷୟରୁ ୪୦ ପ୍ରତିଶତ ଏବଂ ସୁପର ସ୍ପେସିଆଲିଟିରୁ ୬୦ ପ୍ରତିଶତ ପ୍ରଶ୍ନ ଥିଲାବେଳେ ଏଥର ଶେଷ ମୁହୂର୍ତ୍ତର ପରିବର୍ତ୍ତନ ଘୋଷଣା କରାଯାଇ ଜେନେରାଲ୍ ମେଡିସିନ୍ ବିଷୟରୁ ହିଁ ୧୦୦ ପ୍ରତିଶତ ପ୍ରଶ୍ନ ପଚରାଯାଇଥିଲା |