ଲକ୍ଷ୍ମୀପୁର ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତୁମର କଥା ବେଶି କାମ କମ୍ | News Room Odisha

ଲକ୍ଷ୍ମୀପୁର ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତୁମର କଥା ବେଶି କାମ କମ୍

ନୂଆଦିଲ୍ଲୀ: ଆଜି ପୁଣି ସୁପ୍ରିମକୋର୍ଟରେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଶୁଣାଣି ହୋଇଛି। ଏହି ମାମଲାରେ ଉତ୍ତର ପ୍ରଦେଶ ସରକାର ଆଜି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପ୍ରତି କାହିଁକି ଭିନ୍ନ ଆଚରଣ କରାଯାଉଛି ବୋଲି କୋର୍ଟ ପଚାରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା । ଆମେ ଏକ ଦାୟିତ୍ବସମ୍ପନ୍ନ ସରକାର ଏବଂ ଉତ୍ତରଦାୟୀ ପୋଲିସ୍ ଚାହୁଁଛୁ। ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ବୋଲି କହିଛନ୍ତି ପ୍ରଧାନ ବିଚାରପତି । ମୁଖ୍ୟ ଅଭିଯୁକ୍ତଙ୍କ ପ୍ରତି ଏଭଳି କୋହଳ ଆଚରଣ ସହ ଆପଣ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି କୋର୍ଟ ଯୋଗୀ ସରକାରଙ୍କୁ ପଚାରିଛନ୍ତି । ତଦନ୍ତରେ ଆଶାନୁରୂପ ଭାବେ ଅଗ୍ରଗତି ହୋଇନାହିଁ | କେବଳ କଥା ବେଶି କରାଯାଉଛି, କିନ୍ତୁ କାମ କିଛି ହେଉନି | ଆମେ ଏସ୍ଆଇଟିର ସଦ୍ୟତମ ରିପୋର୍ଟ ଦେଖିଛୁ | ଆପଣଙ୍କ ପାଖରେ ଡିଜି, ଏସପି ଏବଂ ଅଧିକାରୀ ଅଛନ୍ତି | ଏମାନେ ସମସ୍ତେ ସ୍ଥାନୀୟ ଲୋକ । ଏମାନେ ସବୁ ସ୍ଥାନୀୟ ଲୋକ ହୋଇ ବି ତଦନ୍ତ ଆଗଉନି | ଏହି ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କ ଦୃଷ୍ଟିରୁ ଆପଣ ଜାଣିଛନ୍ତି ଏହା ସିବିଆଇକୁ ମଧ୍ୟ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ନିଜ କାର୍ଯ୍ୟ କରିବା ଉଚିତ୍। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ରେ ହେବ।

ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ନେପାଳ ପଳାଇଥିବା ସନ୍ଦେହ କରାଯାଉଛି । ପୋଲିସ ଗତକାଲି ତାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲା । କିନ୍ତୁ ତାଙ୍କର ଖୋଜ୍ ଖବର ପାଇପାରି ନାହିଁ ପୋଲିସ । ଆଜି ପୋଲିସ ଆଶିଷ ମିଶ୍ରଙ୍କ ଘରେ ସମନ ନୋଟିସ୍ ଲଗାଇ ଫେରିଛି ।

Lakhimpur Kheri Violencesupreme court