ମମତା ସରକାରଙ୍କୁ ଆଶ୍ବସ୍ତି, ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ | News Room Odisha

ମମତା ସରକାରଙ୍କୁ ଆଶ୍ବସ୍ତି, ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତି ଦୁର୍ନୀତିରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ସ୍କୁଲ ସେବା ଆୟୋଗରେ ହୋଇଥିବା ନିଯୁକ୍ତି ଘୋଟାଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହାଛଡ଼ା ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୀଷ ଜୈନଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସ୍କୁଲ ନିଯୁକ୍ତି ଦୁର୍ନୀତି ତଦନ୍ତ ପାଇଁ କଲିକତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।

ନଭେମ୍ବର ୧୭ରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇର ଏସଆଇଟିର ଦୁଇଜଣ ଅଧିକାରୀଙ୍କୁ ହଟାଇ ଚାରିଜଣ ନୂଆ ଅଧିକାରୀଙ୍କୁ ସାମିଲ କରିଥିଲେ। କୋର୍ଟ ଜଣେ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ଙ୍କୁ ଏସଆଇଟିର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ମାମଲା ବିଦ୍ୟାଳୟ ସେବା ଆୟୋଗ ଦ୍ୱାରା ଅନୁଦାନ ପ୍ରାପ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ତୃତୀୟ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ସହ ଜଡ଼ିତ।