ସୋନାଲି ଫୋଗଟ ମୃତ୍ୟୁ ମାମଲା: କର୍ଲିଜ୍ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ | News Room Odisha

ସୋନାଲି ଫୋଗଟ ମୃତ୍ୟୁ ମାମଲା: କର୍ଲିଜ୍ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ବିଜେପି ନେତା ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଗୋଆର କର୍ଲିଜ୍ ରେଷ୍ଟୁରାଣ୍ଟକୁ ସୁପ୍ରିମକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏହି ରେଷ୍ଟୁରାଣ୍ଟକୁ ଗୋଆ ସରକାର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଗୋଆ ସରକାରଙ୍କ ଏହି ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ରୋକ୍ ଲଗାଇଛନ୍ତି । ଏହାଛଡ଼ା ସୁପ୍ରିମକୋର୍ଟ ଗୋଆ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ଦସ୍ତାବିଜ ଏବଂ ଫଟୋ ତଲବ କରିଛନ୍ତି। ତେବେ ରେଷ୍ଟୁରାଣ୍ଟକୁ ଏବେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବ ।

କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆରଜେଡ୍) ର ନିୟମ ଉଲ୍ଲଂଘନ ଦର୍ଶାଇ ଗୋଆ ସରକାର ଶୁକ୍ରବାର ସକାଳେ ରେଷ୍ଟୁରାଣ୍ଟ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ବିରୋଧରେ କର୍ଲିଜ୍ ରେଷ୍ଟୁରାଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କର୍ଲିଜ୍ ନାମକ ଏହି ରେଷ୍ଟୁରାଣ୍ଟ ଉତ୍ତର ଗୋଆର ପ୍ରସିଦ୍ଧ ଅଞ୍ଜୁନା ବିଚରେ ଅବସ୍ଥିତ | ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋନାଲି ଫୋଗଟ ଏହି ରେଷ୍ଟୁରାଣ୍ଟରେ ପାର୍ଟି କରିଥିଲେ। ଏହି କାରଣରୁ ଏହି ରେଷ୍ଟୁରାଣ୍ଟ ନିକଟରେ ଚର୍ଚ୍ଚାରେ ଥିଲା | ଫୋଗଟଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ରେଷ୍ଟୁରାଣ୍ଟର ମାଲିକ ଏଡୱିନ୍ ନ୍ୟୁନ୍ସ ବି ଥିଲେ । ପରେ ସେ ଜାମିନରେ ମୁକୁଳିଥିଲେ ।