ମୋଦୀ ସରନେମ୍ ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ | News Room Odisha

ମୋଦୀ ସରନେମ୍ ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦୀ ସରନେମ୍ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଉପରେ ଅ‌ନ୍ତରୀଣ ରୋକ୍ ଲଗାଇଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅପରାଧିକ ମାନହାନି ମାମଲାରେ ରାହୁଲଙ୍କ ସଜା ରଦ୍ଦ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ।

ସୁପ୍ରିମକୋର୍ଟ ଆଜି ରାହୁଲଙ୍କ ଆବେଦନ ଶୁଣାଣି କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ମାମଲା ବିଚାରାଧୀନ ଅଛି ସେ ପର୍ଯ୍ୟନ୍ତ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ୍ ଲାଗିବ। ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି ଯେ ରାହୁଲଙ୍କ ମନ୍ତବ୍ୟ ଠିକ୍ ନଥିଲା। ସାଧାରଣ ଜୀବନରେ ଜଣେ ବ୍ୟକ୍ତି ଭାଷଣ ଦେବାବେଳେ ସତର୍କତା ଅବଲମ୍ବନ କରିବେ ବୋଲି ଆଶା କରାଯାଏ। ରାହୁଲଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ରାହୁଲଙ୍କୁ କାହିଁକି ସର୍ବାଧିକ ଦଣ୍ଡ ଦିଆଗଲା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ ଯଦି ଜଜ୍ ତାଙ୍କୁ ୧ ବର୍ଷ ୧୧ ମାସ ଜେଲଦଣ୍ଡ ଦେଇଥାନ୍ତେ, ତେବେ ରାହୁଲ ଗାନ୍ଧୀ ସଂସଦ ପଦ ରଦ୍ଦ ହୋଇ ନଥାନ୍ତା ।

ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀ ନିଜ ସାଂସଦ ପଦ ଫେରିପାଇବା ଆଶା ଉଜ୍ଜ୍ବଳ ହୋଇଛି। ସେ ସଂସଦର ଚଳିତ ମୌସୁମୀ ଅଧିବେଶନରେ ମଧ୍ୟ ଯୋଗ ଦେଇପାରିବେ ।

୨୦୧୯ରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ ‘ମୋଦୀ ସରନେମ୍’ ମନ୍ତବ୍ୟ ଦେଇଥିଲେ । ସେ ନିରବ ମୋଦୀ, ଲଲିତ ମୋଦୀ ଏବଂ ଅନ୍ୟମାନଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ୍ (ସାଙ୍ଗିଆ) କାହିଁକି ମୋଦୀ ରହିଥାଏ।

ଏହି ମନ୍ତବ୍ୟ ନେଇ ଗୁଜରାଟର ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ କେସ୍ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚରେ ସୁରଟର ଏକ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

ଦଣ୍ଡାଦେଶର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା।