ଜ୍ଞାନବାପି ମସଜିଦ ସର୍ଭେ ଉପରେ ଜୁଲାଇ ୨୬ ଯାଏଁ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ | News Room Odisha

ଜ୍ଞାନବାପି ମସଜିଦ ସର୍ଭେ ଉପରେ ଜୁଲାଇ ୨୬ ଯାଏଁ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦର ସର୍ଭେ ଉପରେ ୨୬ ଜୁଲାଇ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଏହି ମାମଲାରେ ଆବେଦନକାରୀ ମସଜିଦ ପକ୍ଷକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବୁଧବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସୋମବାର ମାମଲାର ଶୁଣାଣି ବେଳେ ମୁସଲିମ ପକ୍ଷରୁ କୁହାଯାଇଥିଲା ଯେ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ମସଜିଦ ପରିସରରେ ଏଏସ୍ଆଇ ତରଫରୁ ସର୍ଭେ କାର୍ଯ୍ୟ ଚାଲିଛି। ଏହା ସୁପ୍ରିମକୋର୍ଟର ପୂର୍ବ ଆଦେଶର ଉଲ୍ଲଂଘନ ଏବଂ ଏହି ସର୍ଭେ ଯୋଗୁଁ ମସଜିଦ୍ କ୍ଷତି ହୋଇପାରେ ବୋଲି ମୁସଲିମ ପକ୍ଷ ଯୁକ୍ତି କରିଥିଲା ।

ଏ ବାବଦରେ ହାଇକୋର୍ଟ କାହିଁକି ଯାଉନାହିଁ ବୋଲି ସୁପ୍ରିମକୋର୍ଟ ମୁସଲିମ ପକ୍ଷକୁ ପ୍ରଶ୍ନ କରିଥିଲେ । ମୁସଲିମ ପକ୍ଷରୁ କୁହାଯାଇଥିଲା ଯେ ସର୍ଭେ ଆରମ୍ଭ କରିବାକୁ ଜିଲ୍ଲା କୋର୍ଟ ଏତେ ଶୀଘ୍ର ନିର୍ଦ୍ଦେଶ ଦେଇଥିଲେ ଯେ ହାଇକୋର୍ଟ ଯିବାକୁ ସମୟ ନ ଥିଲା । କୋର୍ଟ ପ୍ରଥମେ ଶୁଣାଣିକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ କିନ୍ତୁ ପରେ ମାମଲାର ଶୁଣାଣି କରିଥିଲେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପଚାରିଥିଲେ ଯେ ଏଏସଆଇ ବର୍ତ୍ତମାନ କଣ କରୁଛି ଏବଂ ସେଠାରେ କ’ଣ ଘଟୁଛି? ସେଠାରେ କ’ଣ ଖନନ ଚାଲିଛି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହି ସର୍ଭେ ବିଷୟରେ ସୂଚନା ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏଏସ୍ଆଇକୁ ସକାଳ ୧୧:୧୫ରେ ହାଜର ହେବାକୁ କହିଥିଲେ। ଏଏସ୍ଆଇ ତରଫରୁ ସଲିସିଟର ଜେନେରାଲ କୋର୍ଟରେ ହାଜର ହୋଇ କହିଥିଲେ ଯେ ବର୍ତ୍ତମାନ ଜ୍ଞାନବାପି ମସଜିଦରେ ଚାଲିଥିବା ସର୍ଭେ ସମୟରେ ସେଠାରେ ଗୋଟିଏ ବି ଇଟା ହଟାଯାଇ ନାହିଁ।

ବାରାଣସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସକାଳ ୭ଟାରୁ ଜ୍ଞାନବାପି ମସଜିଦ ପରିସରରେ ଏଏସ୍ଆଇର ସର୍ଭେ ଆରମ୍ଭ ହୋଊ। ଜିଲ୍ଲା କୋର୍ଟ ଏଏସଆଇକୁ ଅଗଷ୍ଟ ୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ହିନ୍ଦୁ ପକ୍ଷ ଦାବି କରିଛି ଯେ ଏକ ମନ୍ଦିରକୁ ଭାଙ୍ଗି ଏହି ମସଜିଦ ନିର୍ମାଣ କରାଯାଇଛି। ତେବେ ମୁସଲିମ ପକ୍ଷ ଏହାକୁ ଖଣ୍ଡନ କରିଛି । ଏହି ସର୍ଭେ ଯୋଗୁଁ ମସଜିଦ କ୍ଷତିଗ୍ରସ୍ତ ହୋଇପାରେ ବୋଲି ମୁସଲିମ ପକ୍ଷ କହିଛି ।