ମଣିପୁର ପୋଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ରାଜ୍ୟ ଡିଜିପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ | News Room Odisha

ମଣିପୁର ପୋଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ରାଜ୍ୟ ଡିଜିପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ରାଜ୍ୟ ପୋଲିସ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ହିଂସା ରୋକିବାରେ ମଣିପୁର ପୋଲିସର ବିଫଳତା ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କଡ଼ା ଟିପ୍ପଣୀ କରିଛନ୍ତି । ସ୍ଥିତି ରାଜ୍ୟ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି । କୋର୍ଟ ମଣିପୁରର ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲା ସିବିଆଇକୁ ହସ୍ତାନ୍ତର ଦାବିରେ କୋର୍ଟ କହିଛନ୍ତି ଯେ ଏଫଆଇଆର ମଧ୍ୟ ରୁଜୁ ହେଉନାହିଁ। ଏଯାବତ୍ ୬୫୦୦ ଏଫ୍ଆଇଆର୍ ମଧ୍ୟରୁ ୫୦ଟି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଅବଶିଷ୍ଟ ୫୯୫୦ ମାମଲାର କ’ଣ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭାଇରାଲ ଭିଡିଓ ମାମଲାରେ ମଧ୍ୟ ଏତଲା ରୁଜୁ କରିବାରେ ବହୁ ବିଳମ୍ବ ହୋଇଛି। ଏଥିରୁ ଜଣାପଡୁଛି ଯେ ଭିଡିଓ ସାମ୍ନାକୁ ଆସିବା ପରେ ହିଁ ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଥିଲା ।

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଆମେ ଏକ ଷ୍ଟାଟସ୍ ରିପୋର୍ଟ ପ୍ରସ୍ତୁତ କରିଛୁ। ଏହା ଭାବପ୍ରବଣ ଯୁକ୍ତି ଉପରେ ନୁହେଁ ବରଂ ତଥ୍ୟ ଉପରେ ଆଧାରିତ | ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ତୁରନ୍ତ ଏଫ୍ଆଇଆର୍ ରୁଜୁ ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପୋଲିସ୍ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ କହିଛନ୍ତି ଯେ ଏଯାବତ୍ ୨୫୦ ଜଣ ଗିରଫ ହୋଇଛନ୍ତି । ପ୍ରାୟ ୧୨୦୦ ଜଣଙ୍କୁ ଅଟକ ରଖାଯାଇଛି। ମହିଳାଙ୍କୁ ଯୌନ ନିର୍ଯାତନା ସହ ଜଡିତ ଭିଡିଓ ମାମଲାରେ ରାଜ୍ୟ ପୋଲିସ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି।

ସଲିସିଟରଙ୍କ କଥା ଶୁଣିବା ପରେ ପ୍ରଧାନ ବିଚାରପତି କହିଥିଲେ, ଆପଣ କହୁଛନ୍ତି ଯେ ମଣିପୁର ହିଂସା ନେଇ ୬୫୦୦ ଏଫ୍ଆଇଆର୍ ରୁଜୁ ହୋଇଛି । କିନ୍ତୁ ଏଥି ମଧ୍ୟରୁ କେତେ ଗୁରୁତର ଅପରାଧ ସହ ଜଡ଼ିତ ? ସେଗୁଡିକ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି | ଏପରି କରିବା ଦ୍ବାରା ହିଁ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ | ଯଦି ସିବିଆଇକୁ ୬୫୦୦ ମାମଲା ଦିଆଯାଏ, ତେବେ ସିବିଆଇ କାମ କରିପାରିବ ନାହିଁ |

ସଲିସିଟର ଜେନେରାଲ କହିଥିଲେ ଯେ ଆମକୁ ପ୍ରଥମେ ମାମଲାଗୁଡ଼ିକୁ ଶ୍ରେଣୀଭୁକ୍ତ କରିବାକୁ ପଡିବ ତାପରେ ଆମେ ଏନେଇ ସ୍ପଷ୍ଟ ଛବି ପାଇବୁ। ଏଥିପାଇଁ କିଛି ସମୟ ଲାଗିବ |ସେ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ମେହେଟ୍ଟା କହିଥିଲେ ମହିଳାଙ୍କ ବିରୋଧରେ ଅପରାଧର ୧୧ଟି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁମତି ଦିଆଯାଉ।

ସିଜେଆଇ କହିଛି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇକୁ ଦିଆଯାଇଥିବା ଦୁଇଟି ମାମଲା ବ୍ୟତୀତ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ସଂସ୍ଥାକୁ ୧୧ଟି ମାମଲା ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ବେଶ୍ ମନ୍ଥର ଏବଂ ଅଧାପନ୍ତରିଆ ରହିଛି । ଆମେ ନିର୍ଦ୍ଦେଶ ଦେଉଛୁ ଯେ କୋର୍ଟର ପ୍ରଶ୍ନର ଉତ୍ତର ଦେବାକୁ ରାଜ୍ୟର ଡିଜିପି ଶୁକ୍ରବାର ଅପରାହ୍ନ ୨ଟାରେ ବ୍ୟକ୍ତିଗତ ଭାବେ ହାଜର ହୁଅନ୍ତୁ । ସମସ୍ତ ମାମଲା ଶ୍ରେଣୀଭୁକ୍ତ କରି ଏହାର ତାଲିକା କୋର୍ଟରେ ଦାଖଲ କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।