ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ପ୍ରକାଶ କରିବେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମେତ ୨୪୨ ଟି ଆବେଦନ ଉପରେ ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ସିଟି ରବି କୁମାରଙ୍କ ଏକ ବେଞ୍ଚ ରାୟ ଶୁଣାଇବେ । ଏହି ସବୁ ପିଟିସନରେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଥିଲା । ପିଏମଏଲ ଅଧୀନରେ ତଦନ୍ତ, ଗିରଫ, ଜବତ, ଅନୁସନ୍ଧାନ ଏବଂ ବାଜ୍ୟାପ୍ତି ପାଇଁ ଇଡିର ବ୍ୟାପକ କ୍ଷମତାକୁ ମଧ୍ୟ ଚ୍ୟାଲେ ଚ୍ୟାଲେଞ୍ଜ କରାଯାଇଛି | ଏହି ବ୍ୟବସ୍ଥା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ବୋଲି ଦାବି କରାଯାଇଛି।
କପିଲ ସିବଲ, ଅଭିଷେକ ମନୁ ସିଂଭି ଏବଂ ମୁକୁଲ ରୋହତଗୀଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ସମ୍ପ୍ରତି ପିଏମ୍ଏଲ୍ଏ ସଂଶୋଧନର ଅପବ୍ୟବହାର ସହ ଜଡିତ ବିଭିନ୍ନ ଦିଗ ଉପରେ ସୁପ୍ରିମକୋର୍ଟ ଆଗରେ ଯୁକ୍ତି ବାଢିଥିଲେ। ଜାମିନ ସର୍ତ୍ତ, ଗିରଫ ହେବାର କାରଣ ନ ଦର୍ଶାଇବା, ଇସିଆଇଆର୍(ଏଫ୍ଆଇଆର୍ ପରି) କପି ବିନା ଗିରଫ କରିବା , ଅର୍ଥ ହେରଫେରର ବ୍ୟାପକ ସଂଜ୍ଞା ଏବଂ ଅପରାଧର ଆୟ, ଏବଂ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ବୟାନ ବିଚାର ପ୍ରକ୍ରିୟାରେ ପ୍ରମାଣ ଭାବରେ ଗ୍ରହଣ କରାଯିବା ଆଦି ଅନେକ ଦିଗ ଉପରେ ଶୁଣାଣି ହୋଇଥିଲା | ଅନ୍ୟପକ୍ଷରେ କେନ୍ଦ୍ର ପିଏମ୍ଏଲ୍ଏ ଆଇନ ଅଧୀନରେ ଥିବା ବ୍ୟବସ୍ଥାକୁ ସମର୍ଥନ କରିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏହି ଆଇନ ସହାୟତାରେ ହିଁ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ୧୮,୦୦୦ କୋଟି ଜବତ କରାଯାଇ ବ୍ୟାଙ୍କକୁ ଫେରସ୍ତ କରାଯାଇଥିଲା ।