ସିବିଆଇ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ସୁପ୍ରିମକୋର୍ଟ, ସଫଳତା ହାର ନେଇ ମାଗିଲେ ତଥ୍ୟ | News Room Odisha

ସିବିଆଇ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ସୁପ୍ରିମକୋର୍ଟ, ସଫଳତା ହାର ନେଇ ମାଗିଲେ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ୫୪୨ ଦିନ ବିଳମ୍ବ ପରେ ସିବିଆଇ ଏକ ମାମଲାରେ ଆବେଦନ କରିବା ପରେ ଏହି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟକାରିତା ଏବଂ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ସିବିଆଇ ଦ୍ୱାରା ରୁଜୁ କରାଯାଉଥିବା ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ କମ୍ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଛନ୍ତି।
ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସିବିଆଇ କେତେ ସଫଳ ହୋଇଛି ସେନେଇ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ କେତେ ମାମଲା ବିଚାରାଧୀନ ଅଛି ଏବଂ କେତେ ଦିନ ହେଲା ବିଚାରାଧୀନ ଅଛି ତାହା ମଧ୍ୟ କୋର୍ଟ ପଚାରିଛନ୍ତି? ଆଇନଗତ ପ୍ରକ୍ରିୟା ପାଇଁ ବିଭାଗକୁ ମଜବୁତ କରିବା ପାଇଁ ସିବିଆଇ ନିର୍ଦ୍ଦେଶକ କଣ ପଦକ୍ଷେପ ନେଉଛନ୍ତି ତାହା ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।