ସିନ୍ଦେ ବନାମ ଉଦ୍ଧବ: ଆଜି ଆସିବ ସୁପ୍ରିମକୋର୍ଟ ରାୟ | News Room Odisha

ସିନ୍ଦେ ବନାମ ଉଦ୍ଧବ: ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ମହାରାଷ୍ଟ୍ରରେ ବିଜେପି ସହ ସରକାର ଗଢ଼ିଥିବା ଏକନାଥ ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ । ଏହି ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ‌ ରାୟ ଆସିପାରେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଚୌକି ମଧ୍ୟ ସୁପ୍ରିମକୋର୍ଟ ରାୟ ଉପରେ ନିର୍ଭର କରୁଛି ।

ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଗତ ୧୦ ମାସ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା।

ଗତ ବର୍ଷ ଜୁନ୍ ୨୧ରେ ତାଙ୍କ ଦଳର ୧୬ ଜଣ ବିଧାୟକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ।

ଜୁନ୍ ୨୪ରେ ଶିବସେନା ଏହି ୧୬ ଜଣ ବିଧାୟକଙ୍କ ସଦସ୍ୟତା ବାତିଲ କରିବାକୁ ବିଧାନସଭାର ତତ୍କାଳୀନ ଉପବାଚସ୍ପତି ନରହରୀ ଜିରୱାଲଙ୍କ ନିକଟରେ ଦାବି କରିଥିଲେ।

ଜିରୱାଲ ସେହି ୧୬ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ସେତେବେଳେ ଉଦ୍ଧବ ଠାକରେଙ୍କ ଇସ୍ତଫା ଯୋଗୁଁ ତାଙ୍କ ସରକାରର ପତନ ଘଟିଥିଲା ।

ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହିତ ସରକାର ଗଠନ କରି ତାଙ୍କ ଦଳ ପ୍ରକୃତ ଶିବସେନା ବୋଲି ଦାବି କରିଥିଲା।

ଏଥିପାଇଁ ଦଳର ଚିହ୍ନ ଉପରେ ନିର୍ବାଚନ ଆୟୋଗରେ ମଧ୍ୟ ଏକ ଲମ୍ବା ଲଢ଼େଇ ଚାଲିଥିଲା।

ଫେବୃଆରୀରେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଥିଲେ । ଏହାଛଡ଼ା ଦଳର ନାମ ଓ ଚିହ୍ନ ‘ଧନୁ-ତୀର’କୁ ମଧ୍ୟ ବ୍ୟବହାର କରିବାକୁ ସିନ୍ଦେ ଗୋଷ୍ଠୀକୁ ଅନୁମତି ଦେଇଥିଲେ।

ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ସୁପ୍ରିମକୋର୍ଟ ଯାଇଥିଲେ।

ମାମଲାର ଗମ୍ଭୀରତାକୁ ଦେଖି ଗତ ବର୍ଷ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟ ଏହି ମାମଲାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇଥିଲେ ।

ରାଜ୍ୟରେ ସିନ୍ଦେ-ଫଡନାଭିସ୍ ସରକାରର ଭବିଷ୍ୟତ କୋର୍ଟର ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ଯଦି ସିନ୍ଦେ କ୍ୟାମ୍ପ ବିରୋଧରେ ରାୟ ଆସେ, ତେବେ ଏକନାଥ ସିନ୍ଦେଙ୍କ ସଦସ୍ୟତା ସହ ତାଙ୍କ ମୁଖ୍ୟମନ୍ତ୍ରୀ ଚୌକି ମଧ୍ୟ ଯିବ ।

ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ୧୬ ଜଣ ବିଧାୟକ ଅଯୋଗ୍ୟ ହୁଅନ୍ତି, ତେବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ। ସମ୍ବିଧାନର ୯୧ତମ ସଂଶୋଧନ ଅନୁଯାୟୀ ଯଦି ଜଣେ ବିଧାୟକ ଅଯୋଗ୍ୟ ହୁଅନ୍ତି, ତେବେ ସେ ମନ୍ତ୍ରୀ ହୋଇପାରିବେ ନାହିଁ।