ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କ ଦଣ୍ଡବିଧାନ ନେଇ ଜାନୁଆରୀ ୧୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ | News Room Odisha

ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କ ଦଣ୍ଡବିଧାନ ନେଇ ଜାନୁଆରୀ ୧୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡବିଧାନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଜାନୁଆରୀ ୧୮କୁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି କୋର୍ଟ କହିଛନ୍ତି ଯେ ଦୋଷୀଙ୍କୁ ପ୍ରତ୍ୟର୍ପଣ କରାଯାଉ କି ନାହିଁ ଦଣ୍ଡବିଧାନର ରାୟ ନେଇ ଆଉ ଆମେ ଅପେକ୍ଷା କରିପାରିବୁ ନାହିଁ।

ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଦୋଷୀ ତାଙ୍କ ଓକିଲଙ୍କ ମାଧ୍ୟମରେ ମାମଲା ଉପସ୍ଥାପନ କରିପାରିବେ। ଏହି ମାମଲାରେ ସହାୟତା କରିବା ପାଇଁ କୋର୍ଟ ବରିଷ୍ଠ ଆଡଭୋକେଟ୍ ଜୟଦୀପ ଗୁପ୍ତାଙ୍କୁ ନ୍ୟାୟ ମିତ୍ର (ଆମିକସ୍ କ୍ୟୁରି) ଭାବରେ ନିଯୁକ୍ତ କରିଛନ୍ତି।

ବ୍ୟାଙ୍କଗୁଡିକରୁ ହଜାରେ କୋଟି ଟଙ୍କା ଠକେଇ ପରେ ସୁପ୍ରିମକୋର୍ଟ ୯ ମଇ ୨୦୧୭ରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଡିଏଗୋ ଡିଲର ୪୦ ମିଲିୟନ ଡଲାର୍ ଅର୍ଥ ନିଜ ପିଲାମାନଙ୍କ ବିଦେଶୀ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବା ଏବଂ ସମ୍ପତ୍ତିର ସଠିକ୍ ବିବରଣୀ ପ୍ରଦାନ କରିନଥିବା ଯୋଗୁଁ ମାଲ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ନେଇ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କର ରିଭ୍ୟୁ ପିଟିସନକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ ।