ଉତ୍ତର ପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି | News Room Odisha

ଉତ୍ତର ପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁସଲିମ ସଂଗଠନ ଜମିୟତ୍ ଉଲେମା-ଇ-ହିନ୍ଦ ପକ୍ଷରୁ ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରାଜ୍ୟରେ ସମ୍ପ୍ରତି ହିଂସା ଘଟଣାରେ ଅଭିଯୁକ୍ତଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗିବା ବନ୍ଦ କରିବା ପାଇଁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଜମିୟତ୍ ଉଲେମା-ଇ-ହିନ୍ଦ ନିଜ ପିଟିସନରେ ନିବେଦନ କରିଛି । ଏପ୍ରିଲରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ବିରୋଧରେ ମଧ୍ୟ ଜମିୟତ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ୟୁପିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର କିଛି ଅବସରପ୍ରାପ୍ତ ବିଚାରପତି ଏବଂ ଆଇନଜୀବୀ ମଧ୍ୟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନିକଟକୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୁସଲିମ ସଂଗଠନ ଜମିୟତ୍ ଉଲେମା-ଇ-ହିନ୍ଦ କହିଛି ଯେ ବିନା ନୋଟିସରେ କୌଣସି ସମ୍ପତ୍ତି ଭଙ୍ଗାଯାଇ ପାରିବ ନାହିଁ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି ଏବଂ ସମ୍ପତ୍ତି କେବଳ ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ଏବଂ ପଦ୍ଧତି ଅନୁଯାୟୀ ଭଙ୍ଗାଯାଇ ପାରିବ | ସୁପ୍ରିମକୋର୍ଟର ଜଷ୍ଟିସ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ ଜମିୟତ୍ ଉଲେମା-ଇ-ହିନ୍ଦ ଆବେଦନର ଶୁଣାଣି କରିବେ ।