କୁସ୍ତି ସଂଘ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି | News Room Odisha

କୁସ୍ତି ସଂଘ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଦେଶର ରେସଲରମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି । ବ୍ରଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର୍ ଦାବି କରି ୭ ମହିଳା ରେସଲର କରିଥିବା ଆବେଦନ ଉପରେ ଆଜି (ଏପ୍ରିଲ ୨୮) ସୁପ୍ରିମକୋର୍ଟରେ ଶୁଣାଣି ହେବ।

କୁସ୍ତି ମହାସଂଘ ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦାବି କରି ରେସଲରମାନେ ପ୍ରାୟ ସପ୍ତାହେ ତଳେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁ ନାହିଁ । ତେଣୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ରେସଲର ଦାବି କରିଥିଲେ। ଏହି ମାମଲାରେ କୋର୍ଟ ସରକାରଙ୍କୁ ନୋଟିସ ଜାରି କରି ଆଜି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରୁଥିବା ଖେଳାଳିମାନେ ସେମାନଙ୍କ ଆବେଦନରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେଣୁ ଏହି ମାମଲାର ଶୁଣାଣି ଜରୁରୀ ।

କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ବ୍ରଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଶେଷ କରିବେ ନାହିଁ। କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଭଳି ଷ୍ଟାର ରେସଲର ଅଛନ୍ତି।