ଜମ୍ମୁ-କାଶ୍ମୀର ପାଇଁ ପୁନଃ ଲାଗୁ ହେବ କି ଧାରା ୩୭୦? ଆଜି ଆସିବ ସୁପ୍ରିମକୋର୍ଟ ରାୟ | News Room Odisha

ଜମ୍ମୁ-କାଶ୍ମୀର ପାଇଁ ପୁନଃ ଲାଗୁ ହେବ କି ଧାରା ୩୭୦? ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସହ ଜଡ଼ିତ ଧାରା ୩୭୦ ରଦ୍ଦ ନିଷ୍ପତ୍ତିର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ୨୦୧୯ରେ ମୋଟ ୧୮ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହି ପ୍ରସଙ୍ଗରେ ୧୬ ଦିନ ଧରି ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିଥିଲେ ।

କେନ୍ଦ୍ର ସରକାର ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରିଦେଇଥିଲେ । ଏହି ଧାରା ଅଧୀନରେ ଜମ୍ମୁ କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ମିଳିଥିଲା । ଧାରା ୩୭୦ ରଦ୍ଦ ପରେ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦାଖ ରୂପେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।