ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ | News Room Odisha

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ସୋମବାର ଏହି ମାମଲାରେ ସୋମବାର ରାୟ ଶୁଣାଇଛନ୍ତି । ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ ନିଷ୍ପତ୍ତି ଅସାମ୍ବିଧାନିକ ନୁହେଁ । ସମ୍ବିଧାନର ଧାରା ୧ ଏବଂ ୩୭୦ରୁ ଏହା ସ୍ପଷ୍ଟ ଯେ ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଜମ୍ମୁ କାଶ୍ମୀରରେ ମଧ୍ୟ ଭାରତୀୟ ସମ୍ବିଧାନ ଚାଲିବ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି। ଏଥିସହ ଧାରା ୩୭୦ ଉଚ୍ଛେଦ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, କେନ୍ଦ୍ର ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଏହା ଦ୍ୱାରା ଅରାଜକତା ବ୍ୟାପିବ | ଯଦି କେନ୍ଦ୍ରର ନିଷ୍ପତ୍ତିରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେଉଛି, ତାହେଲେ ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ । ରାଷ୍ଟ୍ରପତିଙ୍କ ଶାସନ କାଳରେ କେନ୍ଦ୍ର କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।

ମୋଦୀ ସରକାର ଏହାର ଦ୍ୱିତୀୟ କାର୍ଯ୍ୟକାଳରେ ୫ ଅଗଷ୍ଟ ୨୦୧୯ରେ ଧାରା ୩୭୦କୁ ରଦ୍ଦ କରିଦେଇଥିଲେ, ଯାହା ଅଧୀନରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା । ଏହି ଧାରାକୁ ଉଚ୍ଛେଦ ପୂର୍ବକ ସରକାର ଏହି ରାଜ୍ୟକୁ ଜମ୍ମୁ କାଶ୍ମୀର ଏବଂ ଲଦାଖ ରୂପରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ମୋଟ ୨୩ଟି ପିଟିସନ ଦାଖଲ କରାଯାଇଥିଲା।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଓପାଞ୍ଚ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲଗାତାର ୧୬ ଦିନ ଧରି ଏହି ମାମଲାର ଶୁଣାଣି ପରେ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ।