ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ | News Room Odisha

ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଆଜି ଏହି ମାମଲାରେ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ରର ‘ନୋଟବନ୍ଦୀ’ ନିଷ୍ପତ୍ତି ବୈଧ ବୋଲି କହିଛନ୍ତି । କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ୫୮ଟି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ୪-୧ ଆଧାରରେ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠର କେବଳ ଏକମାତ୍ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା ବିମୁଦ୍ରୀକରଣ ନିଷ୍ପତ୍ତି ବିରୋଧରେ ମତ ଦେଇଥିଲେ ।

ଜଷ୍ଟିସ ନାଗରତ୍ନା କହିଥିଲେ ଯେ, ବିମୁଦ୍ରୀକରଣ ଏକ କଠୋର ନିଷ୍ପତ୍ତି ଥିଲା । ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସଂସଦରେ ବିଚାର-ବିମର୍ଶ କରାଯିବା ଉଚିତ ଥିଲା । କିନ୍ତୁ ସରକାର ସିଧାସଳଖ ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଏଭଳି ନିଷ୍ପତ୍ତି ନେଇଥିଲେ । ଅଚାନକ ଏଭଳି ନିଷ୍ପତ୍ତି ଯୋଗୁଁ ଲୋକେ ବହୁତ ସମସ୍ୟା ଭୋଗିଥିଲେ ବୋଲି ଜଷ୍ଟିସ ନାଗରତ୍ନା କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୮, ୨୦୧୬ରେ କେନ୍ଦ୍ରର ମୋଦୀ ସରକାର ଦେଶରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ଅଚଳ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୫୮ ଆବେଦନର ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ।

ବିମୁଦ୍ରୀକରଣ ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ପ୍ରୟାସକୁ ବିରୋଧ କରିଥିଲେ ସରକାର । କୋର୍ଟ ଏହି ମାମଲା ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କେନ୍ଦ୍ର କହିଥିଲା । ଏକ ସତ୍ୟପାଠରେ କେନ୍ଦ୍ର କୋର୍ଟକୁ କହିଥିଲା ଯେ ବିମୁଦ୍ରୀକରଣ ନିଷ୍ପତ୍ତି ଜାଲ୍ ନୋଟ୍, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, କଳା ଟଙ୍କା ଏବଂ ଟିକସ ଫାଙ୍କି ବିରୋଧରେ ଏକ ବୃହତର ରଣନୀତିର ଅଂଶବିଶେଷ ଥିଲା।