ଶରଦ ପାୱାରଙ୍କ ବଡ଼ ଘୋଷଣା, ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ | News Room Odisha

ଶରଦ ପାୱାରଙ୍କ ବଡ଼ ଘୋଷଣା, ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର ଶନିବାର ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି । ଶରଦ ପାୱାର ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ପାଓ୍ବାରଙ୍କ ଏହି ଘୋଷଣା ତାଙ୍କ ପୁତୁରା ଅଜିତ ପାୱାରଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି । ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲେ ପାଓ୍ବାରଙ୍କ ଘୋଷଣା ଶୁଣିବା ପରେ ସେ ସମ୍ପୂର୍ଣ୍ଣ ନିରବ ରହିଥିଲେ। ପରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା ନକରି ସେଠାରୁ ପଳାଇଥିଲେ ।

ଏହାଛଡ଼ା ପାୱାର ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟପ୍ରଦେଶ, ଗୁଜରାଟ, ଗୋଆ, ଓଡ଼ିଶା, ରାଜସ୍ଥାନ ଏବଂ ଝାଡଖଣ୍ଡ ଦାୟିତ୍ବ ଦେଇଛନ୍ତି । ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର ନିର୍ବାଚନ ସହିତ ହରିୟାଣା ଏବଂ ପଞ୍ଜାବର ଦାୟିତ୍ବ ଦିଆଯାଇଛି । ପ୍ରଫୁଲ୍ଲ ପଟେଲ ରାଜ୍ୟସଭା ସହ ଜଡିତ କାର୍ଯ୍ୟ ମଧ୍ୟ ସମ୍ଭାଳିବେ । ସୁପ୍ରିୟା ଏନସିପିର ମହିଳା ଏବଂ ଯୁବ ଶାଖା ସହ ଜଡିତ ରହିବେ। ଶରଦ ପାୱାରଙ୍କ ଘୋଷଣାରୁ ଏହା ସ୍ପଷ୍ଟ ଯେ ଝିଅ ସୁପ୍ରିୟା ସୁଲେ ହିଁ ତାଙ୍କ ଉତ୍ତରାଧିକାରୀ ହେବେ ।

ଶରଦ ପାୱାର ଗତମାସରେ ହଠାତ୍ ଏନସିପି ସଭାପତି ପଦରୁ ଇସ୍ତଫା ଦେଇଥିଲେ ‌‌। ହେଲେ ଦଳୀୟ କର୍ମୀଙ୍କ ଅନୁରୋଧ ରକ୍ଷାକରି ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ ।