ବାରାଣସୀ: କଡ଼ା ସୁରକ୍ଷା ମଧ୍ୟରେ ବାରାଣସୀର ଜ୍ଞାନବାପି ମସଜିଦ୍ରେ ରବିବାର ଦ୍ୱିତୀୟ ଦିନ ମଧ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ରବିବାର ସକାଳ ପ୍ରାୟ ୮ ଟା ବେଳେ ଏହି ସର୍ଭେ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ଗୋପନୀୟ ରଖାଯାଇଛି | ଜ୍ଞାନବାପି ମସଜିଦ ପ୍ରସିଦ୍ଧ କାଶି ବିଶ୍ବନାଥ ମନ୍ଦିରକୁ ଲାଗି ରହିଛି ।
ମେ ୧୨ରେ ବାରାଣସୀ କୋର୍ଟର ଏକ ବେଞ୍ଚ୍ ଜ୍ଞାନବାପି ମସଜିଦରେ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଇଥିଲା |
ଶନିବାର ଏହି ପ୍ରକ୍ରିୟା ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା | ପ୍ରଥମ ଦିନରେ ଅତି ଶାନ୍ତିପୂର୍ଣ୍ଣ ଭାବେ ସର୍ଭେ କାର୍ଯ୍ୟ କରାଯାଇଥିଲା |
ସର୍ଭେ କାର୍ଯ୍ୟ ପାଇଁ ଏହି ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । ଗଣମାଧ୍ୟମକୁ ମଧ୍ୟ ଦୂରେଇ ରଖାଯାଇଛି। ଭକ୍ତମାନଙ୍କୁ ମଧ୍ୟ ଛଡ଼ାଯାଉ ନାହିଁ ।
ପ୍ରଥମ ଦିନର ସର୍ଭେ ପରେ ଡିଏମ୍ କୌଶଳ ରାଜ ଶର୍ମା କହିଥିଲେ ଯେ ୫୦% ରୁ ଅଧିକ ସର୍ଭେ ସରିଛି।
ଉଲ୍ଲେଖଯୋଗ୍ୟ ଯେ ପାଞ୍ଚଜଣ ମହିଳା ଜ୍ଞାନବାପି ମସଜିଦର ପଛ ଭାଗରେ ମା ଶୃଙ୍ଗାର ଗୌରୀଦେବୀଙ୍କ ପୂଜାପାଠ ଏବଂ ଦର୍ଶନ ଦାବି କରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।
ଏହା ସହିତ ସେ ପ୍ଲଟ ନମ୍ବର ୯୧୩୦ (ଯେଉଁ ଜାଗାରେ ମସଜିଦ ଅଛି) ର ଯାଞ୍ଚ୍ ଏବଂ ଭିଡିଓଗ୍ରାଫି ପାଇଁ ଦାବି କରିଥିଲେ, ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି ।