ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ: ଏକ ନମ୍ବର ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର | News Room Odisha

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ: ଏକ ନମ୍ବର ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର

ଦୁବାଇ: ଭାରତର ଷ୍ଟାର୍ ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ସଦ୍ୟତମ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ଟି-୨୦ ବିଶ୍ୱକପ ସୁପର-୧୨ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ସୂର୍ଯ୍ୟ ଏକ ନମ୍ବର ସ୍ଥାନ ହାସଲ କରିଥିଲେ ।

ସୂର୍ଯ୍ୟ ବିଶ୍ବକପର ୫ଟି ଇନିଂସରେ ୩ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ପାକିସ୍ତାନ ଓପନର୍ ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ସୂର୍ଯ୍ୟ ୮୬୯ ପଏଣ୍ଟ ହାସଲ କରିଥିଲେ, ଯାହା ସେମିଫାଇନାଲ ମ୍ୟାଚ ପରେ ୮୫୯ ପଏଣ୍ଟକୁ ଖସି ଆସିଛି । ​​କିନ୍ତୁ ସେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ​​|

ଟି-୨୦ ବିଶ୍ୱକପରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୮୯.୬୮ ଷ୍ଟ୍ରାଇକ୍ ରେଟ୍ ଓ ୫୯.୭୫ ଆଭରେଜ୍ ସହ ୨୩୯ ରନ୍ କରିଥିଲେ।

ସୂର୍ଯ୍ୟଙ୍କ ବ୍ୟତୀତ ସଦ୍ୟତମ ର଼୍ୟାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଦଳର ଖେଳାଳିମାନେ ମଧ୍ୟ ବଡ଼ ଲମ୍ଫ ମାରିଛନ୍ତି। ଭାରତ ବିପକ୍ଷ ସେମିଫାଇନାଲରେ ୪୭ ବଲରେ ବିସ୍ଫୋରକ ୮୬ ରନର ଇନିଂସ୍ ପରେ ଇଂଲଣ୍ଡ ଓପନର୍ ଆଲେକ୍ସ ହେଲ୍ସ ୨୨ ସ୍ଥାନ ଉପରକୁ ଉଠିଛନ୍ତି।

ବର୍ତ୍ତମାନ ସେ ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ବିଶ୍ୱକପ୍‌ରେ ଇଂଲଣ୍ଡ ପାଇଁ ହେଲ୍ସ ଦ୍ୱିତୀୟ ସଫଳ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ୪୨.୪୦ ଆଭରେଜରେ ୨୧୧ ରନ୍ କରିଥିଲେ।

ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ଶ୍ରେଷ୍ଠ ୧୦ରେ ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ତ୍ତମାନ ସେ ତିନି ନମ୍ବରରେ ପହଞ୍ଚିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ରାଇଲି ରୁସୋ ସପ୍ତମ ସ୍ଥାନକୁ ଉଠିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ ୮ ନମ୍ବରକୁ ଖସି ଆସିଛନ୍ତି।

ବୋଲିଂ ର଼୍ୟାଙ୍କିଙ୍ଗରେ ସେମିଫାଇନାଲ ତଥା ଫାଇନାଲରେ ଭଲ ବୋଲିଂ କରିଥିବା ଆଦିଲ ରସିଦଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ରସିଦ ୫ଟି ସ୍ଥାନ ଲମ୍ଫ ଦେଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି |