ସୁସ୍ମିତା ସେନଙ୍କୁ ହୃଦଘାତ | News Room Odisha

ସୁସ୍ମିତା ସେନଙ୍କୁ ହୃଦଘାତ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଓ ଅନ୍ୟତମ ଫିଟ୍ ଅଭିନେତ୍ରୀ ସୁସ୍ମିତା ସେନ୍ ହୃଦଘାତର ଶିକାର ହୋଇଛନ୍ତି । କିଛି ଦିନ ତଳେ ତାଙ୍କର ହୃଦଘାତ ହୋଇଥିଲା । ସୁସ୍ମିତା ସେନ୍ ନିଜେ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏହି ଖବର ସେୟାର କରିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ବର୍ତ୍ତମାନ ସେ ଠିକ୍ ଅଛନ୍ତି ବୋଲି ସୁସ୍ମିତା କହିଛନ୍ତି ।

ସୁସ୍ମିତା ସେନ୍ ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଇନଷ୍ଟା ପୋଷ୍ଟରେ ସୁସ୍ମିତା ତାଙ୍କ ବାପାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ସୁସ୍ମିତା ସେନ୍ ତାଙ୍କ ବାପା କହିଥିବା କିଛି କଥା ମନେ ପକାଇ ଲେଖିଛନ୍ତି । ସୁସ୍ମିତା ଲେଖିଛନ୍ତି – ‘ମୋ ବାପା ସୁବୀର ସେନଙ୍କ କିଛି ଶବ୍ଦ…, ସର୍ବଦା ତୁମ ହୃଦୟକୁ ଖୁସି ଏବଂ ସାହସୀ ରଖ । କାରଣ ଯେତେବେଳେ ତୁମକୁ ଏହାର ଦରକାର ପଡ଼ିବ ସେତେବେଳେ ଏହା ସର୍ବଦା ତୁମର ସାଥ୍ ଦେବ, ଶୋନା ! ଦୁଇ ଦିନ ତଳେ ମୋର ହୃଦଘାତ ହୋଇଥିଲା, ଯାହା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା, ଷ୍ଟେଣ୍ଟ ମଧ୍ୟ ଲାଗିଥିଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋର ହୃଦ୍ ବିଶେଷଜ୍ଞ କହିଛନ୍ତି ଯେ ମୋର ହୃଦୟ ବଡ଼ |”

ସୁସ୍ମିତା କହିଛନ୍ତି, ସମୟୋପଯୋଗୀ ସହାୟତା ପାଇଁ ବହୁତ ଲୋକଙ୍କୁ ଧନ୍ୟବାଦ ଜଣାଇବାର ଅଛି.. ତାହା ଆଉ ଏକ ପୋଷ୍ଟରେ । ଏହି ପୋଷ୍ଟ କେବଳ ମୋ ଶୁଭେଚ୍ଛୁ ଓ ଅନ୍ତରଙ୍ଗ ଲୋକଙ୍କ ସୂଚନା ପାଇଁ ଯେ ସବୁ ଠିକ୍ ଠାକ୍ ଅଛି.. ବାକି ଜୀବନ ଜୀଇଁବା ପାଇଁ ପ୍ରସ୍ତୁତ । “