ତେଲେଙ୍ଗାନାର ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହ ପୁଣି ଗିରଫ | News Room Odisha

ତେଲେଙ୍ଗାନାର ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହ ପୁଣି ଗିରଫ

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିବା ହାଇଦ୍ରାବାଦ ଗୋଶାମହଲର ବିଧାୟକ ଟି.ରାଜା ସିଂହଙ୍କୁ ପୁଣି ଥରେ ପୋଲିସ ଗିରଫ କରିଛି। ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସେବେଠାରୁ ପୁଣିଥରେ ଏହି ନିଲମ୍ବିତ ବିଜେପି ବିଧାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ତୀବ୍ର ହୋଇଥିଲା ।

ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ରାଜା ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ସେମାନେ ସ୍ଲୋଗାନ ଦେଇଥିଲେ। ଗତ କିଛି ଦିନ ହେବ ହାଇଦ୍ରାବାଦର ଅନେକ ଅଞ୍ଚଳରେ ତାଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଭିଡ଼ ହଟାଇବା ପାଇଁ ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା।

ଗତ ସୋମବାର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରି କରି ଟି.ରାଜା ସିଂହ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ହାଇଦ୍ରାବାଦ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ବିଜେପି ମଧ୍ୟ ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କରିଥିଲା ।