ଆପ୍ ସାଂସଦ ରାଘବ ଚଢ଼ାଙ୍କ ଉପରୁ ହଟିଲା ନିଲମ୍ବନ | News Room Odisha

ଆପ୍ ସାଂସଦ ରାଘବ ଚଢ଼ାଙ୍କ ଉପରୁ ହଟିଲା ନିଲମ୍ବନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଉପରୁ ନିଲମ୍ବନ ହଟିଛି । ରାଘବ ଚଢ଼ାଙ୍କ ସଦସ୍ୟତା ଫେରାଇବା ପାଇଁ ରାଜ୍ୟସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ରାଜ୍ୟସଭା ସଦସ୍ୟ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଏହି ଆପ୍ ନେତା।

ଚଢ଼ା କହିଛନ୍ତି, ଅଗଷ୍ଟ ୧୧ରେ ମୋତେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ମୋର ନିଲମ୍ବନ ହଟାଇବାକୁ ମୁଁ ସୁପ୍ରିମକୋର୍ଟ ଯାଇଥିଲି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଏବେ ୧୧୫ ଦିନ ପରେ ମୋର ନିଲମ୍ବନ ରଦ୍ଦ ହୋଇଛି | ମୋର ନିଲମ୍ବନ ହଟିଥିବାରୁ ମୁଁ ଖୁସି । ମୁଁ ସୁପ୍ରିମକୋର୍ଟ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ସଂସଦର ମୌସୁମୀ ଅଧିବେଶନରେ ରାଘବ ଚଢ଼ାଙ୍କୁ ଅଗଷ୍ଟ ୧୧ରେ ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ନିଲମ୍ବିତ କରାଯାଇଥିଲା ।

ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ବିନା ଅନୁମତିରେ ପାଞ୍ଚଜଣ ରାଜ୍ୟସଭା ସାଂସଦଙ୍କ ନାମ ସିଲେକ୍ଟ କମିଟିରେ ସାମିଲ କରିଥିଲେ।

ଆପ୍ ନେତା ଚଢ଼ାଙ୍କ ନିଲମ୍ବନ ମାମଲା ଉପରେ ଆଲୋଚନା ପାଇଁ ସଂସଦରେ ସୋମବାର ଅପରାହ୍ନରେ ରାଜ୍ୟସଭା ସ୍ବାଧୀକାର କମିଟିର ବୈଠକ ବସିଥିଲା ।