କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ନେଇ ଅମିତ ଶାହଙ୍କ ଇସ୍ତଫା ଦାବି କଲେ ସ୍ବାମୀ | News Room Odisha

କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ନେଇ ଅମିତ ଶାହଙ୍କ ଇସ୍ତଫା ଦାବି କଲେ ସ୍ବାମୀ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି।

ଗୁରୁବାର କାଶ୍ମୀରର କୁଲଗାମ ଜିଲ୍ଲାର ସ୍ଥାନୀୟ ଦେହତି ବ୍ୟାଙ୍କର ମ୍ୟାନେଜର ବିଜୟ କୁମାରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ବିଜୟ କୁମାର ରାଜସ୍ଥାନର ହନୁମାନଗଡର ବାସିନ୍ଦା ଥିଲେ।

ଏହାପୂର୍ବରୁ ମେ ୩୧ରେ ଜମ୍ମୁର ଶିକ୍ଷୟତ୍ରୀ ରଜନୀ ଦେବୀଙ୍କୁ ହତ୍ୟା କରାଯାଇଥିଲା। କାଶ୍ମୀରରେ ହିନ୍ଦୁ ସରକାରୀ କର୍ମଚାରୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି।

କାଶ୍ମୀରେ ଟାର୍ଗେଟ କିଲିଂ ଘଟଣାରେ ନିରାଶା ପ୍ରକାଶ କରି ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଛନ୍ତି ଯେ, “ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ଥିବା ସତ୍ତ୍ବେ କାଶ୍ମୀରୀ ହିନ୍ଦୁମାନଙ୍କୁ ପ୍ରତିଦିନ ଗୁଳି କରି ହତ୍ୟା କରାଯାଉଛି। ଏଭଳି ପରିସ୍ଥିତିରେ ଅମିତ ଶାହଙ୍କୁ ଇସ୍ତଫା ଦେବାକୁ କୁହାଯିବା ବର୍ତ୍ତମାନ ଜରୁରୀ ହୋଇପଡିଛି। ତାଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦିଆଯାଇପାରେ କାରଣ ଆଜିକାଲି ସେ ଏଥିରେ ଅଧିକ ଆଗ୍ରହ ଦେଖାଉଛନ୍ତି |”

କାଶ୍ମୀରରେ ହିନ୍ଦୁଙ୍କ ହତ୍ୟା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ବ୍ୟାଙ୍କ ମ୍ୟାନେଜର, ଶିକ୍ଷକ ଏବଂ ଅନେକ ନିରୀହ ଲୋକଙ୍କୁ ପ୍ରତ୍ୟହ ହତ୍ୟା କରାଯାଉଛି, କାଶ୍ମୀରୀ ପଣ୍ଡିତମାନେ ପଳାୟନ କରୁଛନ୍ତି। କାଶ୍ମୀରୀ ପଣ୍ଡିତଙ୍କୁ ଯେଉଁମାନେ ସୁରକ୍ଷା ଦେବା କଥା, ସେମାନେ ଫିଲ୍ମ ପ୍ରମୋଶନରୁ ସମୟ ବାହାର କରିପାରୁ ନାହାଁନ୍ତି | ବିଜେପି କାଶ୍ମୀରକୁ କେବଳ ଏକ କ୍ଷମତାର ସିଡ଼ିରେ ପରିଣତ କରିଛି। କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ, ପ୍ରଧାନମନ୍ତ୍ରୀଜୀ !”