ଆଜିଠାରୁ ଟି-୨୦ ବିଶ୍ୱକପ: ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତକୁ ଆଉ ଏକ ସୁଯୋଗ | News Room Odisha

ଆଜିଠାରୁ ଟି-୨୦ ବିଶ୍ୱକପ: ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତକୁ ଆଉ ଏକ ସୁଯୋଗ

ନ୍ୟୁୟର୍କ: ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ‌ ହେଉଛି ଟି୨୦ କ୍ରିକେଟ ବିଶ୍ୱକପ୍ । ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟ ଖେଳି ସାମିଲ ହୋଇଥିବା ପପୁଆ ନ୍ୟୁ ଗିନି (ପିଏନ୍‌ଜି) ମଧ୍ଯରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଭାରତୀୟ ଦଳକୁ ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଏହା ଆଉ ଏକ ସୁଯୋଗ । ଅଷ୍ଟ୍ରେଲିଆ ଅନ୍ୟ ଏକ ଟାଇଟଲ ଜିତି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। ସଠିକ୍ ସମୟରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ଲକ୍ଷ୍ୟ ରଖିବେ।

ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଠାରୁ ଚ୍ୟାଲେଞ୍ଜ ବି କମ୍ ନୁହେଁ। ଦକ୍ଷିଣ ଆଫ୍ରିକା ପାଖରେ ହେନ୍ରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, କ୍ୱିଣ୍ଟନ୍ ଡି କକ୍ ଏବଂ କାଗିସୋ ରାବାଡା ଭଳି ମ୍ୟାଚ୍ ବିଜେତା ଅଛନ୍ତି । ଦଳ ‘ଚୋକର’ ଟ୍ୟାଗ୍ ରୁ ମୁକ୍ତି ପାଇବାକୁ ଚାହିଁବେ।

ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ କ୍ରିକେଟ୍ ଖେଳ ଆମେରିକାରେ ଡେବ୍ୟୁ କରିବାକୁ ଯାଉଛି, ଯେଉଁଠି ୨୯ ଦିନ ମଧ୍ୟରେ ୫୫ଟି ମ୍ୟାଚ୍ ମଧ୍ୟରୁ ୧୬ଟି ଖେଳାଯିବ | ଅବଶିଷ୍ଟ ୩୯ଟି ମ୍ୟାଚ୍ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ, ଯେଉଁଥିରେ ସୁପର-୮ ପର୍ଯ୍ୟାୟ ମ୍ୟାଚ୍ ସହ ସେମିଫାଇନାଲ ଏବଂ ଫାଇନାଲ ସାମିଲ।

ଟାଇଟଲ୍ ପାଇଁ ମୁଖ୍ୟ ଦାବିଦାରଙ୍କ ବ୍ୟତୀତ ଆଫଗାନିସ୍ତାନକୁ ହାଲକାରେ ନେବା ଭୁଲ ହେବ । ଏହି ଦଳ ବିପର୍ଯ୍ୟୟ ଘଟାଇବାରେ ବେଶ୍ ସକ୍ଷମ।

ଟିମ୍ ଇଣ୍ଡିଆ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି, ଦଳ ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠାରୁ କୌଣସି ଆଇସିସି ଟାଇଟଲ୍ ଜିତି ପାରିନାହିଁ। ଏଥର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ବିଶ୍ୱସନୀୟତା ମଧ୍ୟ ବିପଦରେ ରହିଛି। ରୋହିତଙ୍କ ପୂର୍ବରୁ ବିରାଟ କୋହଲି ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ଥିଲେ, କିନ୍ତୁ ଆଇସିସି ଟାଇଟଲ ଜିତି ପାରିନଥିଲେ। କ୍ୟାରିୟରର ସାୟାହ୍ନରେ ଉପନୀତ ହୋଇଥସାରିଥିବା ଏହି ଦୁଇ ସୁପରଷ୍ଟାରଙ୍କ ପାଇଁ ମଧ୍ୟ ଆଇସିସି ଟାଇଟଲ୍ ସହ ବିଦାୟ ନେବାକୁ ଏହା ଶେଷ ସୁଯୋଗ।

ଭାରତୀୟ ଦଳ ଗତ ୧୨ ମାସ ମଧ୍ୟରେ ଦୁଇଟି ଆଇସିସି ଟୁର୍ନାମେଣ୍ଟରେ ରନର୍ସଅପ୍ ରହିଥିଲା । ଗତ ବର୍ଷ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପ୍‌ର ଫାଇନାଲରେ ହାରି ଯାଇଥିଲା ଟିମ୍ ଇଣ୍ଡିଆ।