ଟି-୨୦ ବିଶ୍ୱକପ୍: ବିଜୟ ସହ ଅଭିଯାନ ଶେଷ କଲା ଭାରତ, ନାମିବିଆକୁ ୯ ୱିକେଟରେ ହରାଇଲା | News Room Odisha

ଟି-୨୦ ବିଶ୍ୱକପ୍: ବିଜୟ ସହ ଅଭିଯାନ ଶେଷ କଲା ଭାରତ, ନାମିବିଆକୁ ୯ ୱିକେଟରେ ହରାଇଲା

ଦୁବାଇ: ଟିମ୍ ଇଣ୍ଡିଆ ବିଜୟ ସହ ଟି-୨୦ ବିଶ୍ୱକପରେ ଅଭିଯାନ ଶେଷ କରିଛି। ସୋମବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ନାମିବିଆକୁ ୯ ୱିକେଟରେ ପରାସ୍ତ କରିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ନାମିବିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରଙ୍କ ସାମ୍ନାରେ ନାମିବିଆ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୨ ରନ୍ ସ୍କୋର କରିଥିଲା।

ଜବାବରେ ଭାରତ ୧ ୱିକେଟ୍ ହରାଇ ୧୫.୨ ଓଭରରେ ବିଜୟଲକ୍ଷ୍ୟ ହାସଲ କରିଛି। ଓପନର୍ କେ.ଏଲ୍ ରାହୁଲ ୫୪ ରନ୍ କରି ଅପରାଜିତ ରହିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ରେ ଅପରାଜିତ ରହିଥିଲେ। ଉପଅଧିନାୟକ ରୋହିତ ଶର୍ମା ୫୬ ରନ୍ ସଂଗ୍ରହ କରିଥିଲେ। ଏହି ବିଜୟ ସହ ବିରାଟ କୋହଲିଙ୍କ ଟି-୨୦ ଅଧିନାୟକତ୍ବ ମଧ୍ୟ ଶେଷ ହୋଇଛି । ଏହି ମ୍ୟାଚ୍ ସହ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ।

ଏହାପୂର୍ବରୁ ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ନାମିବିଆକୁ ୧୩୨/୮ରେ ସୀମିତ ରଖିଥିଲା। ଜାଡେଜା ୧୬ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିବାବେଳେ ଅଶ୍ୱିନ ୨୦ ରନରେ ତିନୋଟି ଓ୍ବିକେଟ୍ ନେଇଥିଲେ। ଯସପ୍ରୀତ ବୁମ୍ରା ୧୯ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ନାମିବିଆ ତରଫରୁ ଡେଭିଡ ୱିଜ (୨୬) ଏବଂ ଓପନର୍ ଷ୍ଟିଫେନ୍ ବାର୍ଡ (୨୧) ୨୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

ଗତକାଲି ନ୍ୟୁଜିଲାଣ୍ଡ ଠାରୁ ଆଫଗାନିସ୍ତାନର ପରାଜୟ ପରେ ଭାରତର ସେମିଫାଇନାଲ ଆଶା ଧୂଳିସାତ ହୋଇଥିଲା । ଭାରତ ୨୦୧୨ ପରେ ପ୍ରଥମ ଥର ପାଇଁ ଏକ ଆଇସିସି ଇଭେଣ୍ଟରେ ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଥିଲା ।